ଅମ୍ବର ଉଡ଼ିଗଲା ଦିନ
ଅମ୍ବର ଉଡ଼ିଗଲା ଦିନ
ଆମ୍ବୁଲାନ୍ସର ବ୍ୟଗ୍ରତା ଭରା
କାଉଁ କାଉଁ ଶବ୍ଦ ଆଉ ନାହିଁ
ବୋଉ ଫେରିଛି ହସ୍ପିଟାଲରୁ
ବ୍ଲାଉଜ ପିନ୍ଧୁ ନ ଥିଲା ମୋ ବୋଉ
ତା ନରମ ସୂତା ଶାଢ଼ୀର ଆକାଶ ତଳେ
ଥନ ଭିତରେ ମୁଣ୍ଡ ଗୁଞ୍ଜି
ପିଈ ନେଉଥିଲି ଅମୃତ
ଦେହର ବାସ୍ନାରୁ
ଲୁଗାକାନି ମିଶା ଆଙ୍ଗୁଳିରେ
ପୋଛି ଦେଉଥିଲା ସେ
ନେସି ହୋଇଯାଇଥିବା ମୋ ଆଖିର କଜଳକୁ
ଆଉ କେବେ "ଉଫଫଫ" କହି
ଲୁଗାପୁଡ଼ାରେ ଭରି ଦେଉଥିଲା
ଜନ୍ମ ଜନ୍ମର ଶୀତଳତା,
ଆଉ କେବେ ଉଷ୍ଣତା ବି
ବୁଦ୍ଧିମାନ ଭାଉଜ
ଖୁଆଇ ସାରିଛନ୍ତି ପିଲାମାନଙ୍କୁ
ଅଣସୁଧିଆ ଲାଗିବା ପୂର୍ବରୁ
ଓହ୍ଲେଇ ନେଇ ଯାଇଛି କିଏ
ତା ସୁନା ନାକଫୁଲ
ପ୍ରକୃତିସ୍ଥ ହେଉଛି ମୁଁ
ମୁଁ ହରେଇ ବସିଛି
ମୁଣ୍ଡ ଉପରୁ ଛାତ
ଅମ୍ବର ବସ୍ତ୍ର
ଅମ୍ବର ଆକାଶ