ଛନ୍ଦ ନୀଳୟ
ଛନ୍ଦ ନୀଳୟ
ଅଚିହ୍ନା ପଥ ର ପ୍ରୀତି ବିନ୍ଦୁ ସହ
ମୃଦୁ ମୁହୂର୍ତ୍ତରେ
ସତ୍ୟ ସମ୍ପର୍କ ରଚିଲି ।
ସେଇ ସମ୍ପର୍କର ସଂଲଗ୍ନ ସମ୍ଭାର
ଶବ୍ଦ କୁହୁକରେ
ମନ୍ଦିରେ ମୂର୍ତ୍ତି ଗଢିଲି ।।
ବିଶ୍ୱକର୍ମା ନୁହେଁ ମୋ' ମନର ମୂର୍ତ୍ତି
ଭ୍ରମରେ ବି ନୁହେଁ,
ହୋଇବ ନି ବିକଳାଙ୍ଗ ।
ପୂର୍ଣ୍ଣାଙ୍ଗ,ଶାଶ୍ୱତ ସ୍ବର୍ଗୀୟ ସମ୍ଭୂତ
ପରିଚୟ ହୀନ
ତଥାପି,ମୋ' ବାମ ଅଙ୍ଗ ।।
ବାମ ଅଙ୍ଗ ନୁହେଁ,ନହୋଇ ପାରେ ସେ
ବୈଦିକ ନିୟମ,
ପାରମ୍ପରିକ ଭୁଗର୍ଭା ।
ମୋ'ନିଭୃତ କୋଣ କଳ୍ପନା ପ୍ରସୂତ
ଅଜଣା ଥିଲା ସେ
ହେଲା ମନର ମିନର୍ଭା ।।
କହିଲା ନିଜକୁ ପରଦେଶୀ ପକ୍ଷୀ,
ଶବ୍ଦର କୁହୁକେ
ବାନ୍ଧି ରଖି ପାରିବନି ।
ବାନ୍ଧି ସାରିଥିଲା, ବନ୍ଧା ହୋଇଥିଲି
ଅଜ୍ଞ ଅଜାଣତେ
ଅସ୍ବୀକାର କରିବନି ।।
ଇଛା ହେଉଥିଲା କୋଳେ ଆଉଜେଇ
ଲୁହ ଜରିଆରେ
ଦରଦ ଝରାଇ ଦେବି ।
ପ୍ରତାରଣା ର ଏ ଅସତ୍ୟ ସହରୁ
ନିଜେ ଚାଲିଯିବି
ତାକୁ ବି ଲୁଚାଇ ନେବି ।।
ସ୍ବପ୍ନ ଠାରୁ ତୀବ୍ର ଗୁପ୍ତ କୁହୁକିନୀ
ସୁପ୍ତ ଆକର୍ଷଣ,
ବଳିଷ୍ଠ ଆମ ସଂପର୍କ ।
ମାୟାବିନୀ ନୁହେଁ,ବରଂ ସୁହାସିନୀ
ଶବ୍ଦରେ ତା' ଥିଲା
ସତ୍ୟ ନିଷ୍ଠାର କୁହୁକ ।।
ମୁଁ ଥିଲି ତା'ସ୍ରଷ୍ଟା ସେ ଥିଲା ମୋ'ସୃଷ୍ଟି
କବି ଆଉ କାବ୍ୟ
ଜଣେ ତାଳ, ଆନ ଲୟ ।
ତାଆରି ଶବ୍ଦକୁ ମୋ'ରଙ୍ଗ ତୁଳୀରେ
ସୁର ଛନ୍ଦ ଦେଇ
ରଚିଲି ଛନ୍ଦ ନୀଳୟ ।।
ସେଇ ନୀଳୟ ହିଁ ବୈଦିକ ବଳୟ
ସଂକୀର୍ଣ୍ଣତା ଶୂନ୍ୟ
ମାନବୀୟ କର୍ମଶାଳା ।
ମନର ମିନର୍ଭା ପୁଣ୍ୟ ଓ ପ୍ରତିଭା
ଈଶ୍ୱର ଈଶ୍ୱରୀ
ଚିରନ୍ତନ ରଙ୍ଗଶାଳା ।।