ସିଦ୍ଧା
ସିଦ୍ଧା
ଆଖିରୁ ଝରେନି ଲୁହ ଝରେ ସିଏ ଅନ୍ତରୁ
ଭାଙ୍ଗିଯାଏ ପ୍ରେମ ଯହିଁ କିଛି ବି କାରଣରୁ ।
ସେଦିନ ନିଷ୍ଠୁର ବ୍ୟାଧ ଭାଙ୍ଗିଦେଲା ମିଳନ
କ୍ରୌଞ୍ଚପକ୍ଷୀ ଦୁଃଖ ତୋଳେ କବି ମନେ ସ୍ପନ୍ଦନ ।
ସେ ମରଣ ଲେଖିଦେଲା ଅମର କବିତା
ଯୁଗ ପରେ ଯୁଗ ଡେଇଁ ଆଜି ବି ଅପରାଜିତା ।
ଦୁଃଖଟିଏ ଛୁଇଁଯାଏ ଯେବେ କବି ମନକୁ
କବିତା ଚନ୍ଦନପରି ଶାନ୍ତକରେ ହିଆକୁ ।
କେତେ ଭାବ କେତେ ରୂପେ ଯାଉଛନ୍ତି ବହି
କବିତାର ଦେହ ଛୁଇଁ ମନକଥା କବି ଯା'ନ୍ତି କହି ।
ଲହୁଣୀଠୁ ନରମ ବି ଗୁଳିଠୁ ବି ଅନେକ ଗରମ
କବିତା ହିଁ ଚାଲିପାରେ ଯୁଗାନ୍ତରେ ପଥ ଦୀର୍ଘତମ ।
ମର ଦେହେ ମରିଯାଏ କବିର ସେ ନଶ୍ଵର ଶରୀର
ସେ ଦେହୁ ମୁକୁଳି ଆସି କବିତାଟି ଚିରକାଳ ଭାସ୍ଵର ।
ଆତ୍ମା ତ ମରେନା କେବେ ମରେ ନାହିଁ କବିତା କେବେ ବି
ଦୁଃଖର ନିଆଁରେ ଜଳି ସୁନାପରି ଝଟକେ ଯା ଲିପି ।