ବୈଧାନିକ ପରମ୍ପରା
ବୈଧାନିକ ପରମ୍ପରା
ଏମିତି ନ ହେଉ ନିଷ୍ଠୁର ଆଘାତ
ଜଣା ଅଜଣାରେ
ମୋ' ପାଖରୁ ତୁମେ ପାଅ ।
ମୋ'ହୃଦ ସ୍ପନ୍ଦନ ଆଘାତ ପାଇଲେ
ମୃତ,ମରୁ ହୋଇ
କେମିତି ବଞ୍ଚିବି,କୁହ ।
ଏମିତି କୁହନା, ବାହାନା କରନା
ବାହାନା କରିକି
ହୃଦୟ କି ଜିଣି ହୁଏ ?
ମିଛର ରାଇଜେ ପ୍ରୀତିକୁ ଖୋଜିଲେ
ସତରେ ସତରେ
ପୀରତିଟି ହଜିଯାଏ ।
ଏମିତି ମାରନା, ନିଜେ ବି ମରନା
ମିଛରେ,ମିଛରେ
ଦୁହେଁ ହେବା ଅଭିଶପ୍ତ ।
ତୁମେ ବି ନଥିବ, ମୁଁ ବି ନଥିବି
ଥିବ ଖାଲି ଆମ
ଅବୁଝା ପଣର ମିତ ।
ଏତେ ବି ସହ ନା, ସହି କି ରୁହନା
ବେଶି ସହିବା ବି
ଈଶ୍ୱର ଆଖିରେ ପାପ ।
କହିଯାଅ ପଛେ ମନର ଦରଦ
ନିନ୍ଦା ଦିଅ ପଛେ
ନ ଦିଅ ଗୋ ଅଭିଶାପ ।
ଭଲ ପାଇବାଟା ଭାବ ହରା ହେଲେ
ଭଲ ପାଇବାର
ଭଲ ପଣିଆ ହରାଏ ।
ହୃଦୟର ପୁଣ୍ୟ ମନଟିଏ ଥାଏ
ସେ ମନ ମଉଳି
ଅଦିନରେ ଶୁଖିଯାଏ ।
ଏତିକି କଥା ମୁଁ କହୁଛି ଗୋ ସାଥି
ଆମ ବନ୍ଧୁତାର
ନିବିଡ଼ତା ଅଛି ବୋଲି ।
ପ୍ରେମର ପୁଣ୍ୟ ପରଶରେ ଆମ
କୁତ୍ସିତ ଭାବନା
ମଶାଣିରେ ଦେବା ଜାଳି ।
ମନର ସହିତ ମନର ମିଳନ
ମମତା ଆଖିରେ
ପ୍ରେମର ସ୍ୱରୂପ ନିଏ ।
ମିଳନ ବିରହ ବିରହ ମିଳନ
ହସ କାନ୍ଦ ପରି
ଆସୁଥାଏ,ଯାଉଥାଏ ।
ପ୍ରେମ ପଣତରେ ସ୍ଵର୍ଗୀୟ ସମ୍ମାନ
ବୈଦିକ ଯୁଗରୁ
ବୈଧାନିକ ପରମ୍ପରା ।
ପବିତ୍ର ଡୋରୀରେ ପ୍ରେମ ବନ୍ଧା ହେଲେ
ନ ରହେ କୁତ୍ସିତ,
ବିନାଶର ଭାବଧାରା ।