ହାତ ଓ ମୋ ଭୂତ
ହାତ ଓ ମୋ ଭୂତ
ଏଇ ନଈ କୂଳେ ବରଗଛ ମୂଳେ
ପଥର ଉପରେ ବସି,
ଟେକା କି ଖପରା ମାରୁଥିଲେ ପରା
କଉତୁକେ ହସି ହସି ।
ମନେଅଛି କିବା ସାଥୀ ହୋଇଥିବା
ଅଭୁଲା ମୂହୁର୍ତ୍ତେ କିଛି,
ପରସ୍ପର ପାଇଁ ସାହା ହେବା ପାଇଁ
କଥା ଦେଇଥିଲେ ଇଚ୍ଛି ।
ଅଜାଣତେ ଧୀରେ ପକାଇଲ ନୀରେ
ମୁହଁରୁ ଛେପକୁ କାଢି,
ହାତେ ଦେଇ ଚାପ ଜଣାଇଲି ପାପ
ଶୁଣିବା କଥାକୁ ବାଢି ।
ବହୁଥିବା ପାଣି ଗଙ୍ଗା ସମ ଜାଣି
କରିଲି ସିନା ବାରଣ,
ମୋଡି ତୁମ ବେକ କହୁଥିଲି ଦେଖ
ଏ ଦୃଶ୍ୟ କେଉଁ କାରଣ ?
ପାଣିର ଉପରେ ହାତଟେ ରୂପରେ
ସାକ୍ଷାତେ ଦିଶିଲା କ୍ଷଣେ,
ଆହା ବୋଲି କହି ଯାଉଯାଉ ରହି
ଡରିଥିଲି ମନେ ମନେ ।
କିଛି ନାହିଁ ବୋଲି କହିଲନି ଖୋଲି
କିବା ଭୂତ ଆଉ ପ୍ରେତ,
ଭ୍ରାନ୍ତି ଏ ମନର ନୁହେଁ କୋ ଜନର
ହାତ ତ ନଥିଲା ସେ ତ !
ହାତ କରି ରିକ୍ତ କଲ ଅଶ୍ରୁସିକ୍ତ
ନ ଜାଣେ କି ଦୋଷ କଲି,
ଝୁରେ ବାଟ ଚାହିଁ ଗତି ଆଉ କାହିଁ
ଅକାଳରେ ମରିଗଲି ।
ବୁଝିଗଲି ସିନା ରହିଲିନି ବିନା
ପ୍ରତ୍ୟକ୍ଷ ପ୍ରମାଣେ ଆଉ,
ଚାଲିଯାଏ ଏକା ଫିଙ୍ଗିବାକୁ ଟେକା
ଯାହା ଥିଲେ ପଛେ ଥାଉ ।
ଅଚାନକ ଥରେ କିଏ ପିଠି ପରେ
ମାରିଲା ଗୋଟାଏ ଧକ୍କା,
ଫିଙ୍ଗି ହୋଇ ଯାଇ ପାଣି ମଧ୍ୟେ ଥାଇ
ପାଇଲି ମାନସେ ଦକା ।
ଦେଖିଲି ପଠାରେ ବସି ମୁଁ ଛଟାରେ
ନିଜକୁ ହିଁ ଦେଖୁଥିଲି,
ପାଣି ନେଲା ଟାଣି ନ ପାରିଲି ଜାଣି
ହସେ କିଏ ଖିଲିଖିଲି ।
ପ୍ରସନ୍ନ କୁମାର ମାଦଳା