ପ୍ରଭାତ ପଦ୍ମିନୀ
ପ୍ରଭାତ ପଦ୍ମିନୀ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଆଲୋକିତ ରଥ-ଚକ୍ର-ଘର୍ଘର-ଶବଦେ
ପୁଲକିତ ହୁଏ ତବ ହୃଦ,ରୋମାଂଚିତ
ହୋଇଉଠେ ତନୁ,ମାନସ-ସଲିଳ ପରେ
ନୃତ୍ୟ କରେ କୁତୂହଳେ ପ୍ରଣୟର ଢେଉ,
ବାଜିଉଠେ ତନ୍ତ୍ରୀ-ତାରେ କେତେ ନବ ତାନେ
ଛନ୍ଦ-ଲୟେ ଭୈରବୀର ଆବାହନ ଗୀତି ।
ଆଶାୟୀ ପରାଣେ ଜାଗିଉଠେ ମିଳନର
ଅନ୍ତହୀନ କ୍ଷୁଧା, ବହୁ ଦିନ ପରେ ହୁଏ-
ଦୃଶ୍ୟ ନୈରାଶ୍ୟର ପଥେ ଆଶା-ଧ୍ରୁବତାରା ।
ଆନନ୍ଦାଶ୍ରୁ ସିକ୍ତ କରେ ଏଣୁ ବକ୍ଷବାସ ।
ସଖି ତବ ଉଷାରାଣୀ,ଆଶ୍ୱାସନା ଦେଇ
ପୋଛି ଗଣ୍ଡ ଅଶ୍ରୁବିନ୍ଦୁ ତନୁଲତା ଦିଏ-
ମଣ୍ଡି ଅଭିସାର-ବେଶେ ! କୋମଳ ମୃଣାଳ-
କରେ ବାନ୍ଧି ଦିଏ ସ୍ନେହେ ସୁବର୍ଣ୍ଣ କଙ୍କଣ,
ସାଜି ଦିଏ ଚାରୁ ଅଙ୍ଗ ପାଟଳ ବସନେ,
ବୋଳିଦିଏ ସୁବାସିତ ଅଗୁରୁ ତହିଁରେ,
ରଞ୍ଜିଦିଏ ଜବାରଙ୍ଗେ ଅମିୟ ଅଧର,
ରଙ୍ଗିଦିଏ ତୂଳିକାରେ ପୟରେ ଅଳତା ।
ମନ୍ଦେ ମନ୍ଦେ ତହୁଁ ହସି ଛନ୍ଦି ବହୁଲତା
ପ୍ରଭାକରେ ନିଅ କରି ଆପଣାର ବନ୍ଦୀ
ଭୁଲିଯାଅ ବିରହର ସକଳ ବେଦନା
ତାଙ୍କ ଗାଢ଼ ଆଲିଙ୍ଗନେ ଲଭି ସୁସେନେହ-
ବାହୁତଳେ, ସୁଖ-ଶାନ୍ତି, ଯାଦୁକର ସ୍ପର୍ଶ
ଗ୍ରୀଷ୍ମ ଅନ୍ତେ ଯେହ୍ନେ ଧରା ଲଭଇ ସାନ୍ତ୍ୱନା
ଭସାଅ ଯୁଗଳ ତନୁ-ତରୀ ନିରବଧି
ପ୍ରଣୟ-କାସାରେ ତାର ସ୍ୱଚ୍ଛ ନୀଳ ନୀରେ ।
ନିରେଖି ତା ପ୍ରଣୟିନୀ-ପ୍ରଣୟୀ-ମାନସେ
ବହୁ ସଦା ଯୁଗେ ଯୁଗେ ପ୍ରଣୟ ପ୍ରବାହ ।
ସମାପ୍ତ