ଖିଏ ହସ
ଖିଏ ହସ
ତୁମ ଓଠ ଧାରେ ହସ ଖିଏ ଦେଖି
ପ୍ରେମେ ପାଦ ଥାପିଥିଲି
ଯୌବନର ଉଷ୍ମ ମାଦକତା ମୁହିଁ
ଅଙ୍ଗେ ଅନୁଭବୁଥିଲି ॥
ଜୀବନଟା ଖାଲି ନିରାଶାର ବାଲି
ଭାବି ନେଇଥିଲି ମନେ
ଅମା ଆକାଶରେ ଦ୍ୱିତୀୟା ଚାନ୍ଦଟେ
ଉଇଁ ଆସିଲା କେସନେ ॥
ପ୍ରେମ ଅବା ତାହା ଥିଲା ପ୍ରବଞ୍ଚନା
ପରଖି ନଥିଲି ମୁହିଁ
ଭାବନାର ରାଜ୍ୟେ ଘୁରି ବୁଲୁଥିଲି
ମନେ ମନେ ଖୁସି ହୋଇ ॥
ଜାଣିଲି ସେଦିନ ତୁମେ ଯେଉଁଦିନ
ସାଜି ନବ ବଧୂ ବେଶ
ଚାଲି ଯାଇଥିଲ ଅନ୍ୟ କା'ର ହୋଇ
ମୋ ମନ କରି ଉଦାସ ॥
ସେକାଳେ ଜାଣିଲି ଖିଏ ହସେ ଥାଏ
ତାଚ୍ଛଲ୍ୟ ଓ ପ୍ରବଞ୍ଚନା
କେତେବେଳେ ପୁଣି ଲୁଚି ରହିଥାଏ
ପ୍ରଥମ ପ୍ରେମ ସୂଚନା ॥
କେତେବେଳେ ଏହା ଦୁଃଖ ସାଗରରେ
ସୁଖର କ୍ଷୀଣ ଲହରୀ
କୂଳକୁ ଛୁଇଁବା ପୂର୍ବରୁ ବାଟରେ
ଦୁଃଖ-ଜଳେ ଯାଏ ମରି ॥
କେତେବେଳେ ଏହା ବହୁ ପ୍ରତୀକ୍ଷାର
ଶେଷ ଜବନିକା ହୋଇ
ଶୁଖିଲା ଓଠର ଧାରେ ଝରିଯାଏ
ହସ ଖିଅଟିଏ ହୋଇ ॥