ମୋ ବୋଊ
ମୋ ବୋଊ
କଳ୍ପଲତା ମହାପାତ୍ର
ସ୍ନିଗ୍ଧ ଶୀତଳ ତରୁଡାଳେ ଆଶ୍ରିତ ବିହଙ୍ଗରେ
କିଚିରି ମିଚିରି ଶବଦେ
ମନେପଡେ ବୋଊ ତୋର କଥା
ସଞ୍ଜରିଯାଏ ପ୍ରାଣେ ପ୍ରଣେ ମୋ
ତୋ ଅକୁହା ବେଦନାର ଗାଥା l
ମୋ ମନ କାନ୍ ଭାସ୍ ତଳେ ନାଚିଥାଏ
ତା’ ଓଢଣା ତଳର ବ୍ୟାଥା
ନାଲି ଚକଚକିଆ ସିନ୍ଦୁର ଟୋପାରୁ ବୋହିଯାଉଥିଲା
ଶ୍ରମ ଶ୍ରାବଣୀର ଧାରା, ଶ୍ରମ ଶ୍ରାବଣୀର ଧାରା,
ତନ୍ଦ୍ରାର ଅନ୍ଧାରେ ଖସି ଯାଉଥିଲା
ନିମିଷକେ ହଟୁଥିଲା ମୁଖୁ , ତା ଅବସାଦର ରେଖା
ଭୀଷ୍ମର ପଣ ସତେ ଯେପରି କରିବ ନାହିଁ
କାହାକୁ ଅଣଦେଖା, କାହାକୁ ଅଣଦେଖା l
କ୍ଳାନ୍ତ ଧରଣୀର ନିଃଶବ୍ଦ ଜନପଦେ,
ତଥାପି ଶିଥିଳ ନ ଥିଲା ତା’ ଦେହ
ଅଝଟ ସନ୍ତାନର ନିଷ୍କାମ ସେବାରେ ହୃଦ ତା ସ୍ପନ୍ଦିତ
ଧୋ ’ରେ ବାୟା ଗୀତ ତେଣୁ
ହେଉଥିଲା କଣ୍ଠୁ ନିଃସୃତ
ଏବେ ମୁଁ ଜାଣୁଛି ବୋଊ ସତେ !
କେତେ ଆଶା ମନେ ଉଙ୍କି ମାରୁଥିବ ନିଶ୍ଚେ
ହଠାତ୍ ଆସି ଲିଭିବାର ଜବାବ ନ ଦେଇ
ବର୍ଷା ଆକାଶରେ ଇନ୍ଦ୍ରଧନୁପରି,
ଚାଲିଯାଉଥିବ ଅପସରି
ଥାଆନ୍ତା କି ମୋ ସେ ଦିନ ଚିନ୍ତା ଚେତନା
ସ୍ଵପ୍ନ ପ୍ରଜାପତିକୁ ତା’ ହାତେ ଦିଅନ୍ତି ଧରାଇ ପରା
ସ୍ଵର୍ଣ୍ଣମୟୀର ଆଶା ହୁଆନ୍ତା ପୂର୍ଣ୍ଣ
ନ ଥା’ ନ୍ତା ଦେଖିବାକୁ ଏ ଦୁର୍ଦ୍ଦିନ,
ନ ଥା’ ନ୍ତା ଦେଖିବାକୁ ଆଜି ଏ ଦୁର୍ଦ୍ଦିନ l
ଦେଖନ୍ତି ତା’ ମନ ବନହରିଣୀ ନାଚ
ଗୋଲାପି ଉଷାର ଗୋଧୂଳି ତୀରେ
ତା’ ଓଠେ ଫୁଟନ୍ତା ରକ୍ତାରୁଣ କୃଷ୍ଣ ଚୂଡା ହସ,
ରକ୍ତାରୁଣ କୃଷ୍ଣଚୁଡାର ହସ l