ଜଳି ନ ଥା'ନ୍ତି ମୁଁ ତିଳେ
ଜଳି ନ ଥା'ନ୍ତି ମୁଁ ତିଳେ
ଦେଇଥିଲ କଥା- ଆସିବ କୁଞ୍ଜକୁ
ସାଜିଥିଲି କେତେ ଢଙ୍ଗେ ,
ଛଳନା କରିକି ରାତି ପୁହାଇଲ
ତୁମେ ଚନ୍ଦ୍ରାବଳୀ ସଙ୍ଗେ ।
ପୁନେଇ ଜହ୍ନର ତୋଫା ଆଲୁଅରେ
ନାନା ଜାତି ଫୁଲ ତୋଳି,
ଅତି ଶରଧାରେ ଗୁନ୍ଥି ରଖିଥିଲି
ମୁଁ ପରା କୁସୁମ ମାଳି ।
କୁସୁମ ମଉଳି ବାସି ହୋଇଗଲା
ବାସି ହେଲା ଫୁଲ-ଶେଯ ,
ତୁମ ଲାଗି ଦେହେ କଳଙ୍କ ଲାଗିଲା
ପାଇଲି ମୁଁ ବଡ଼ ଲାଜ ।
ସବୁ ଜାଣି ତୁମେ ଅଜଣା ରହୁଛ
ଇଏ କି ପାଉଛି ଶୋଭା ,
ସନ୍ଦେହ ଉପୁଜେ-ମୋ ଲାଗି ଦରଦ
ହୃଦୟରେ ନାହିଁ କିବା !
ତନୁ,ମନ,ପ୍ରାଣ ତୁମକୁ ଅର୍ପିଲେ
ଯଦି ଏଇ ସଜା ମିଳେ ,
ଜାଣିଥିଲେ ଆଗୁଁ-ଅପବାଦେ ସଢ଼ି
ଜଳି ନ ଥା'ନ୍ତି ମୁଁ ତିଳେ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।