ପୁରୁଷୋତ୍ତମ ଦେବ (32)
ପୁରୁଷୋତ୍ତମ ଦେବ (32)
ପୁରୁଷୋତ୍ତମ ଦେବ 32
(ଐତିହାସିକ କାବ୍ୟାଂଶ)
କର୍ତ୍ତବ୍ୟର ଦାସ ହୋଇ ଉତ୍କଳେଶ
କହିଦେଲେ ଯେଉଁ କଥା,
କଣ୍ଠରୁ ସିନା ସେ ବାହାରିଲା,ହେଲେ
ହୃଦେ ଭରିଦେଲା ବ୍ୟଥା।
ପ୍ରାଣ ପ୍ରିୟତମା ପ୍ରଣୟ ପ୍ରତିମା
ରୂପାମ୍ବିକାକୁ କିପରି,
ଚଣ୍ଡାଳର ତୁଲେ ବିଭାଦେବେ,ଭାଳି
ହୃଦ ହୋଇଗଲା କୋରି।
ଲାଗି ରହିଥିଲା ତୁମୁଳ ସଂଗ୍ରାମ
ମନ,ବିବେକ ଭିତରେ,
ମନ କହୁଥିଲା "କେମନ୍ତେ ମୁର୍ଚ୍ଛିବୁ
ପ୍ରାଣପ୍ରିୟାକୁ ସତରେ !
ଅସୀମ ରୋମାଞ୍ଚ ଭରି ଦେଇଥିଲା
ଦିନେ ଯେ ଜୀବନେ ତୋର,
ଅଶନ,ବ୍ୟସନ ଭୁଲି ଜପୁଥିଲୁ
ଦିବା ନିଶି ନାମ ଯାର।
ହୃଦ ସିଂହାସନେ ବସାଇ ଯାହାକୁ
କଲୁ ପ୍ରେମରାଜ୍ୟ ରାଣୀ,
କିପରି ତାହାକୁ ଚଣ୍ଡାଳ ହାତରେ
ବିଭାଦେବୁ ନରମଣି?
ପ୍ରତାରକ ବୋଲି ନିନ୍ଦା ଯେ ରଟିବ,
କି'ଭାଳିବେ ରାଜଜେମା,
ଅନ୍ୟ କଥା ଛାଡ,ନିଜକୁ ତୁ ନିଜେ
କରିପାରିବୁ କି କ୍ଷମା ?"
ବିବେକ କହଇ ,"ଭାବପ୍ରବଣତା
ଭୁଲିଯାଅ ନରବର,
ସାଧାରଣ ପ୍ରଜା ସମ ଚିନ୍ତା ଛାଡ,
କର୍ତ୍ତବ୍ୟ କର୍ମ ତୁ କର।
ରାଜସିଂହାସନ ନୁହେଁ ଫୁଲଶେଜ
କଣ୍ଟକରେ ପୂର୍ଣ୍ଣ ତାହା,
ଦେଶ ସ୍ୱାର୍ଥ ଅର୍ଥେ ନିଜ ସ୍ୱାର୍ଥ ବଳି
ଦେଇଥାଏ ନରନାହା।
ଓଡିଆ ଜାତିର ଅପମାନ ପୁଣି
ଜଗନ୍ନାଥ ଅପମାନ,
ଭୁଲିଯାଇ କେହ୍ନେ ରୂପାମ୍ବିକାର ତୁ
କରିବୁ ପାଣିଗ୍ରହଣ ?
କି ବୋଲିବେ ତୋତେ ଜଗତରେ,ପୁଣି
କି ବୋଲିବେ ନିଜ ପ୍ରଜା,
ସ୍ତ୍ରୈଣ ବୋଲି ଅପବାଦର ମୁକୁଟ
ମୁଣ୍ଡରେ ହୋଇବ ସଜା।'
ମନ-ବିବେକର ଦ୍ୱନ୍ଦ୍ୱରେ ଶେଷରେ
ବିବେକ ହେଲା ବିଜୟୀ,
ହୃଦୟ ପଥର କଲେ ନରବର
ପ୍ରେମକୁ ବିଦାୟ ଦେଇ।
ଏଣେ ରୂପାମ୍ବିକା ଦାସୀମୁଖୁ ଶୁଣି
ପୁରୁଷୋତ୍ତମଙ୍କ ବାଣୀ ,
କହିଲେ "କାହିଁକି ପରିହାସ ମୋତେ
କରୁଛ ଲୋ ସଖୀଶ୍ରେଣୀ ?
କିପରି ଭାବୁଛ,ଗଜପତି ମୋତେ
ଚଣ୍ଡାଳରେ ଦେବେ ବିଭା,
ଫୁଲ ଚାହିଁବକି ସୁରଭିକୁ ଦୂର-
କରିବାକୁ କେବେ ଅବା ?"
ସଖୀଏ କହିଲା "କଥାଟି ତୋହର
ସତ ହେଉ ଜେମାମଣି,
ତୋଆଗେ କହିଲୁ ,ଯାହା ଆସିଥିଲୁ
ମଣିମାଙ୍କଠାରୁ ଶୁଣି।"
ସଖୀବାଣୀଶୁଣି ଜେମାଙ୍କ ମୁହଁରୁ
ହସଧାର ଲିଭିଗଲା,
ପୂର୍ଣ୍ଣିମା ଜହ୍ନକୁ ଅକସ୍ମାତ୍ ଆସି
ରାହୁ ସତେ ଗ୍ରାସକଲା !
ଜେମା ଭାବାବେଶେ କହିଲେ ବିରସେ
"ରାଜା ଅଟନ୍ତି ସେ ମୋର,
ଆଦେଶ ତାଙ୍କର ଶିରୋଧାର୍ଯ୍ୟ ମୋର,
ସେ ପ୍ରଭୁ ମୁହିଁ କିଙ୍କର।
ଭାଗ୍ୟେ ଯାହାଥିବ , ନିଶ୍ଚୟ ଫଳିବ,
ଜଗନ୍ନାଥ ମୋ ଭରସା,
ସୁଅ ମୁହଁରେ ମୁଁ ଶୁଖିଲା ପତର,
ମହାବାହୁ ମୋର ଆଶ୍ରା।"
କ୍ରମଶଃ----