ଅଦେଖା ହାତ
ଅଦେଖା ହାତ
ନିହାରିକା ଡେଇଁ ଧରାତଳେ ତୁମେ
ଆସିଥିଲ ହୁତାଶନ
ଏଇ ଦେଖ ଏବେ ଅପଯୋଗେ ତୁମ
ଚାଲିଅଛି କୁଶାସନ ।
ଦାବାଗ୍ନିଠୁ ବଳି ହିଂସାଗ୍ନି କ୍ରୋଧାଗ୍ନି
ସହଜେ ଏଇଠି ବ୍ୟାପେ
ନିରୀହ ଗରିବ ଦଳିତ ଶୋଷିତ
ଜଳୁଛି ଅସୂୟା ତାପେ ।
ମାନବତା ନାମେ ଉଦାର ପଣିଆ
ଯେବେଠୁ ହେଲାଣି ଲୋପ
ପ୍ରକାର ଭେଦରେ ଯେତେ ରହିଥାଅ
ଦାହେ ଜଠରାଗ୍ନି କୋପ ।
ଜୀବିକା ଦୁଃସହ ଯାହା ପାଶେ ନାହିଁ
ଖାଦ୍ୟ ବସ୍ତ୍ର ଘରବାଡି
ସ୍ବଜନ ପୋଷଣେ ଦୂରେ ରହେ କିଏ
ନିଜ ଭିଟାମାଟି ଛାଡି ।
ମାଲିକଙ୍କ କ୍ରୁର ତାଡନା ସହିତ
କଥା କଥାକରେ ଦଙ୍ଗା
ଜାତୀୟ ସମ୍ପତ୍ତି ଜଳାପୋଡା ସାଥେ
ଘରଦ୍ୱାର ହୁଏ ଭଙ୍ଗା ।
ଶ୍ରମିକ ସର୍ବଦା ନିର୍ଯ୍ୟାତନା ଭୋଗେ
ଅତ୍ୟାଚାର ଯାଏ ବଢି
ନେତାଏ ଭାବନ୍ତି ଦେଶ ଆଗେଇଛି
ବିକାଶ ପାହାଚ ଚଢି ।
ଦେଖିଛ କି ଆଜି ନିଜର ସ୍ବରୂପ
ସଂଶୟ ହେଲାଣି ଜାତ
କାହା ଅତ୍ୟାଚାରେ କେମିତି ଏଇଠି
ଜଳିଛି ଅଦେଖା ହାତ ।