ସ୍ୱର୍ଣ୍ଣଯୁଗ
ସ୍ୱର୍ଣ୍ଣଯୁଗ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଗଲା ସ୍ବର୍ଣ୍ଣଯୁଗ କାହିଁ ?
ଦେବତା ମାନବ ସାଥି ହୋଇଥିଲେ
ଭେଦ ପରା ଥିଲା ନାହିଁ !
ଛାଡ଼ି ମନ୍ଦାକିନି ତଟ,
ଦେବତା, ଧରଣୀ- ଧୂଳି-ସୁଖ ପାଇଁ
ଧରୁଥିଲେ ପରା ଘଟ !
ସୁଖେ ଦୁଃଖେ ମନୁଷ୍ୟର
ମିଶି ତେଜୁଥିଲେ ନୟନୁ ଲୋତକ
ସ୍ନେହେ ଧରି କରେ କର ।
ସୁଖେ ଦୁଃଖେ ମନୁଷ୍ୟର
ସଖା ସଖି ପରି ପାଖେ ହୋଇ ଠିଆ
ଦେଉଥିଲେ ପରା ବଳ ?
ସେ ଯୁଗ ଯେ ଗଲା କାହିଁ,
ଲୁହ ଢାଳି ଢାଳି ଡାକିଲେ ତ ଏବେ
ଦେବତା ଆସନ୍ତି ନାହିଁ !
କି ହୋଇଲା ଧରଣୀର ?
ସେଇ ତ ଆକାଶ, ସେଇ ରବି,ତାରା
ସେଇ ନଦୀ, ସେହି ନୀର !
ସେହି ନାରୀ,ସେହି ନର,
ରାଧିକା-ବିରହ ଏବେ ମିଶେ କରେ
ନାରୀ-ଆଖି ଛଳଛଳ !
ଅଛି ସେହି ସୁଖ ଦୁଃଖ
ସୁଦାମା-ଦାରିଦ୍ର୍ୟ କୋଟି ଗୁଣ ହୋଇ
ପୋଡ଼ୁଛି ଧରଣୀ-ବୁକ ।
ଦେବତା କାହିଁ ଗୋ ତେବେ,
ହାତେ ପୋଛି ଦେଉ- ନାହାନ୍ତି କାହିଁକି
ନରନେତ୍ରୁ ଲୁହ ଏବେ ?
ତେବେ ମିଛ କବି-କଥା,
ଭଗବାନ ଅବ- ତରି ଆସିବାର
ହରିବାକୁ ନର ବ୍ୟଥା ?