ମାଆ
ମାଆ
ମାଆର ବର୍ଣ୍ଣନା ମାଆର କଳନା
ଆଜିଯାଏ କରି ପାରେନି କେହି,
ସ୍ନେହ ମମତାର ସିନ୍ଧୁଟିଏ ସିଏ
ଯାଚି ଢାଳିଦିଏ ସୁଖର ବାରି।
ଦୁଃଖର ଗରଳ ପିଇପିଇ ସାଜେ
ସନ୍ତାନର ପାଇଁ ସେ ନୀଳକଣ୍ଠ,
ଲହୁ ଦେଇ ସୃଷ୍ଟି କରିଥାଏ ଶିଶୁ
ଦୁଃଖ ପାନ କରିଥାଏ ଆକଣ୍ଠ।
ନାରୀ ରୂପୀ ସିଏ ନାରାୟଣୀ ପରା
ପୁଣି ସ୍ନେହମୟୀ ଜନନୀ,
ବାତ୍ସଲ୍ୟ ମମତା ଅଜାଡି ଦିଅଇ
କିଛି ମୂଲ୍ୟ ନ ଘେନି।
ରାତି ରାତି ପୁଣି ଉପାସ ଭୋକରେ
ମୁଖେ ଫୁଟୁଥାଏ ହସ,
ମୃତ୍ୟୁରାଜ ବି ଶଙ୍କିଯାଏ କ୍ଷଣେ
ଆସେନି ତାହାର ପାଶ।
ପିଲା ପାଇଁ ମାଆ ଦୁର୍ଗା ରୂପ ଧରେ
ପଣତ ଯା ନୀଳଚକ୍ର ନେତ,
ଶଙ୍କଟୁ ଉଦ୍ଧାରେ ବିପଦ ହଟାଏ
ଅଳି ସହି ସୁଖ ଯାଚିଣ ଦିଏ।
ତା ହାତରେ ସୃଷ୍ଟି ସିଏ ଆମ ସ୍ରଷ୍ଟା
ସଦା ତା ପାଦେ ଜୁହାର,
ତା ଅମୂଲ ଦାନ ସୁଝି କେ ପାରିବ
ହେ ମାଆ
ତୋତେ କୋଟିକୋଟି ନମସ୍କାର।
ମାଆ ଘେନ ପ୍ରଣାମ ମୋହର
ପ୍ରଣତି ମହାପାତ୍ର
ବାଲେଶ୍ଵର