ଉପହସିତ
ଉପହସିତ
ରୋମାଣ୍ଟିକ କବି ମାୟାଧର ମାନସିଂହ
ହସିବେ ଲୋକେ ସିନା
କରିବେ ଥଟ୍ଟା
ଜାଣିଲେ ତୁମ-ମୋର ଗୋପନ-କଥା ।
ଅଗଣ ଭୁବନର ରାଜଧିରାଜ ତୁମେ
ମୁହିଁତ ହୀନ ଧୂଳି କଣାରୁ
ତପନ ତାରା ତବ ଚରଣେ ନମେ,
କ୍ଷୁଦ୍ର ନାହିଁ କେହି ମୋଠାରୁ ;
ଏଥିକେ ସମ୍ଭବେ ପରାଣ-ବିନିମୟ
ପରାଣ ପରାଣରେ ପ୍ରଣୟ-ଘଟା ?
ଜାଣେ ମୁଁ ପ୍ରାଣେ ପ୍ରାଣେ ଦୀନତା ମୋର ସ୍ୱାମୀ,
ମୋହର ତୁମଠାରୁ ଦୂରତା ;
ତଥାପି କିପାଇଁ ଯେ ବ୍ୟାକୁଳ ଦିନ-ଯାମୀ
ପାଇବି ବୋଲି ତବ ମମତା !
ଧୃଷ୍ଟ ଭାବ ଏହି କ୍ଷମିବ କିଏ ?
କରିବେନି କି ଲୋକେ କଥାରେ ଥଟ୍ଟା ?
ତେଣୁ ହେ ରାଜରାଜ କରଇ ନିବେଦନ
ପାଏ ବା ନାହିଁ ତବ ପ୍ରସାଦ,
ପ୍ରୟାସ ଲାଗି ମୋର ହସନ୍ତୁ ନାହିଁ ଜନ,
ପୂରୁ ନ ପୂରୁ ପଛେ ମୋ ସାଧ ।
ବିଫଳ ହେବା ଆଗୁ ହୋଇବା ଲୋକହସା,
ଅକିଞ୍ଚନ ପ୍ରାଣେ ପରମ ବ୍ୟଥା ।
ସମାପ୍ତ