ଦେହକୁ ନେବେନି
ଦେହକୁ ନେବେନି
କବି ହେବାକୁ ମୋର ହେଲା ମନ
କବିତା କିଛି କିନ୍ତୁ ଝରିଲେନି କଲମରୁ
ହୃଦୟ କଲା ଉଛନ ।
ପଢିଗଲି ଗୁଡାଏ କବିତା ବହି
ବଛା ବଛା କିଛି ଲେଖକଙ୍କ
ତଥାପି କବିତା ଲେଖିବାର କଳା ଆସିଲାନି
ଏପଟେ ବଢୁଥାଏ କବିତା ଲେଖିବା ରଙ୍କ ।
ଧାଡିଏ ୟାଙ୍କର ଧାଡିଏ ତାଙ୍କର
ଟିପି ଚାଲିଲି ଟିପା ଖାତାରେ
ଦେଖିଲା ବେଳକୁ ଧାଡି ଧାଡି ମିଶି
ପରିଣତ ସୁନ୍ଦର କବିତାରେ ।
ଗାଇ ଦେଇଗଲି ଅନର୍ଗଳ ପୁଣି
କେତେ କେତେ କବିତା ଆସରରେ
ବା ବା ଶୁଣି ଛାତି କୁଣ୍ଢେମୋଟ
ମାନପତ୍ର କିଣିଲି ଦେଇ ହଜାରେ ।
ବୁଲିଲିଣି ସାରା ଓଡିଶା ମାଟି ମୁଁ
ଗାଇବା ପାଇଁ ଦି’ ଧାଡି କବିତା
ଭାବୁଛି ଏଥର ଓଡିଶା ବାହାରେ
ମଡାଇବି ମୋର କବିତା ଲତା ।
ଟିପା ଟିପିରେ ଆଉ ମିଳୁନି ଆନନ୍ଦ
ସିଧା ଫେସବୁକରୁ କପି ପେଷ୍ଟ କରିବି
ଅନ୍ୟ ହୃଦୟର କଥାକୁ ମୋର କହି
ଦିନକରେ ଗୋଟେ ବହି ଛାପିବି ।
କବିତା ଚୋରେଇବାକୁ ଜମା ଇଚ୍ଛା ନାହିଁ
କ୍ଲେପ୍ଟୋମେନିଆର ଶିକାର ଅଟେ
କାହାର ସୁନ୍ଦର କବିତା ଦେଖିଲେ
ନିଜର କରିବାକୁ ମନ ଝପଟେ ।
ଏଇଟା ବି ଯଦି କାହାର ଜାଣିବ
ତଥାପି କ୍ଷମା କରିବ ମୋତେ
ଜାଣି ଜାଣି କିଛି ଭୁଲ୍ କରୁନାହିଁ
ଦୋଷ ମାନସିକ ବ୍ୟାଧିର ଅଟେ ।।