ପ୍ରେମ: ଏକ ଦୀର୍ଘ କବିତା
ପ୍ରେମ: ଏକ ଦୀର୍ଘ କବିତା
ପ୍ରେମ:ଏକ ଦୀର୍ଘ କବିତା ****************** ଫୁଲଟିଏ ଫୁଟିଲେ ମଉଳି ଝଡିଯାଏ ଗୀତଟିଏ ଗାଇଦେଲେ ସୁରରେ ହଜିଯାଏ କଥା କେବେ ଲଥାର ବାଙ୍କ ବୁଲାଣିରେ ଶେଷହୁଏ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସରେ ନାହିଁ ମଧୁର କ୍ଷତ ଟିଏ ହୋଇ ସାଙ୍ଗରେ ରହିଯାଏ।। ସ୍ମୃତିକୋଷରେ ରହିଯାଏ ସମ୍ପର୍କର ସୂଚୀପତ୍ର କେବେ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ କେବେ ଅବା ଓଠତଟେ କ୍ଷୀଣ ହସଟିକେ କେବେପୁଣି ଛାତି ପଞ୍ଜରାର ପାହାଡ ଖୋଳରେ ବିଫଳତାର ଦୀର୍ଘଶ୍ବାସ ଟିଏ ହୋଇ।। ପ୍ରେମରେ ବିଫଳତା ବୋଲି କିଛି ନାହିଁ ବିଫଳ ପ୍ରେମବି କରୁଣ କିରଣ ବୁଣେ ଲୁହଧୁଆ ମନ ଆକାଶରେ ଇନ୍ଦ୍ରଧନୁ ତୋଳେ ବର୍ଣିଳ ସେ ଇନ୍ଦ୍ରଧନୁରୁ ଜନ୍ମ ନିଏ ପୁଣି ଅଗଣିତ ଚିତ୍ର, ସ୍ଥାପତ୍ୟ, କାବ୍ୟ ଓ କବିତା।। ପ୍ରେମର ଗୋଟିଏ ସର୍ତ୍ତଯେ ଏହା ସମ୍ପୂର୍ଣ ନିଃସର୍ତ୍ତ ଧରାବନ୍ଧା ଦୁନିଆର ନିୟମ, ଯୁକ୍ତି ବା ଆଇନ କେବେହେଁ ପ୍ରେମପଥ ଓଗାଳି ପାରେନି ଅନତିକ୍ରମ୍ୟ ନୁହେଁ ତା ଲାଗି କିଛି ପ୍ରତିବନ୍ଧ ପ୍ରଣୟୀର ଛାତିତଳେ ବଞ୍ଚେ ଯେପରି ସତେଜ ଗୋଲାପ।। ପ୍ରେମରେ ଥିଲେ ବଦଳିଯାଏ ପୃଥିବୀର ରଙ୍ଗ ଓ ରହସ୍ୟ ଅରମା ରାସ୍ତାକଡ ଆମ୍ବଗଛ ବଉଳି ଉଠେ ଟାଣ ଖରା ଲାଗେ ନରମ,ପବନ ମିଠା ଓ ରାସ୍ତା ଫୁଲପରି ଅର୍ଜୁନଙ୍କ ଆଖି ଚଢେଇ ଆଖିରେ ସ୍ଥିର ହେଲାପରି ପ୍ରିୟ ମଣିଷର ମୁହଁ ଲାଖିରହେ ମନ ଆଇନାରେ।। ପବନ ପିଠିରେ ଲାଉହୋଇ ଭାସିଆସେ ମଧୁର ବଂଶୀସ୍ବନ ପରି କଣ୍ଠସ୍ବର ତା'ର ନିରବତା ହୁଏ ଆଳାପଠୁ ଆହୁରି ପ୍ରଗଳ୍ଭ ସମ୍ବୋଧନରେ ମୁଖରିତ ହୁଏ ଶତେକ ଉପତ୍ୟକା ସ୍ଥିର ସମୟ ଦେଖେ ମଧୁର ମଧ୍ୟାନ୍ତରର ମୟାମୟ ମୂର୍ତ୍ତି।। ଓହ୍ଲାଇ ଆସେ ସ୍ବୀକୃତି ନିରପେକ୍ଷ ସପ୍ତମ ଋତୁ ମଧୁମାଳତୀର ଭୁରୁଗନ୍ଧେ ପୁରେ ମାଟିର ଅଗଣା ମିଳନର ମଧୁର ମୌସୁମୀ ଅବା ବିରହର ଝାଞ୍ଜି ମୁହୂର୍ତ୍ତର ସ୍ମୃତିନେଇ ଅବଶିଷ୍ଟ ଆୟୁଷକୁ ବଞ୍ଚିବା ଲାଗି ଗଢାହୁଏ ଅନେକ ତାଜମହଲ।। ପ୍ରତିଭା ପ୍ରିୟଦର୍ଶିନୀ