ମୋ ଦୃଷ୍ଟି
ମୋ ଦୃଷ୍ଟି
ମାଗିଖିଆ ଆଉ ଖଟିଖିଆ ଦେହେ
ଫଟାଲୁଗା ଦିଶେ ଆରପାର
ଦିନ ଦି'ପହରେ ଉଡୁଥାଉ ହୋଇ
କଳାଟଙ୍କା ପଛେ କାରବାର ।
ଦେଖିଛି ଆମର ଗରିବ ଚାଷୀର
ମରମ ଉଛୁଳା ହାହାକାର
ରେଳ ସ୍ଟେସନରେ ଦୁଃଖିନୀ ଝିଅର
ଫଟା କପାଳର ଭାଗ୍ୟ ଗାର ।
ନିରନ୍ନା ମାଆର ଛାତିରୁ ନିଗିଡା
ଅଣସୁଆଦିଆ ଲହୁଧାର
ଫାଟିଯାଏ ବୁକୁ ବିକାଶ ଭେଳିକି
ଧରମକୁ ସିନା ଆଖିଠାର ।
ବିନୁ ଅପରାଧେ ସଢେ କିଏ ଥାଇ
ଲୁହା ଶିକୁଳିର କାରାଗାର
ଲୁହ ଲହୁ ସ୍ନାତ କେତେ ଯେ ଦଳିତ
ସନ୍ତରି ବିଦ୍ବେଷ ପାରାବାର ।
ବ୍ୟାଧିଗ୍ରସ୍ତ କେଉଁ ଗରିବର ପାଇଁ
ମିଳେନାହିଁ ଏଠି ଉପଚାର
ଭାଷଣବାଜିରେ ମୋ ଦେଶ ଚଳାନ୍ତି
ଉଦ୍ୟୋଗପତିଙ୍କ ଚାଟୁକାର ।
ହିଂସାବଳେ ଦେଶେ ପ୍ରତିପ୍ରାନ୍ତେ ଅଗ୍ନି
ଜାଳିଦିଏ କେତେ ଘରଦ୍ଵାର
ଏକତାର ସୂତ୍ର କୋତରା ହେଲାଣି
ଭାଇଚାରା ଏବେ ଛାରଖାର ।
ବାଉଁଶରାଣୀର ଯାଦୁଖେଳ ଏବେ
ମଝିଦାଣ୍ଡ ଛାଡି ବାରଦ୍ବାର
କୋରି କୋରି ତାର ଦେହଯାକ କିଏ
ଫମ୍ପା କଲା ଆଉ ନପଚାର ।
ପ୍ରସନ୍ନ କୁମାର ମାଦଳା