ପ୍ରକୃତିର ଅଟ୍ଟହାସ୍ୟ
ପ୍ରକୃତିର ଅଟ୍ଟହାସ୍ୟ
ଏଠି ମଣିଷର ମାଆ ତ ଅନେକ
ତା ମଧ୍ୟେ ପ୍ରକୃତି ଏକ,
ମାଆର କର୍ତ୍ତବ୍ୟ ପାଳନ କରି ମୁଁ
ରଖିଛି ମୋହରି ଟେକ ।
କାହାକୁତ କେବେ ବାରଣ କରିନି
ସବୁ ଦେଇଛି ଅଜାଡ଼ି,
ଅନ୍ତ ଚିରି ମୋର ସବୁ ନେଇଯାଇ
ଦେଲୁରେ ମୋତେ ବିଗାଡ଼ି ।
ଦୁନିଆ ଭିତରେ ଶ୍ରେଷ୍ଠ ଜ୍ଞାନୀ ହୋଇ
ଗଧ ପରି କିମ୍ପା ହେଲୁ,
ଆଶା କରି ତୁହି ଶତ ବର୍ଷ ପାଇଁ
କୃପଣରେ ଗଣା ହେଲୁ ।
ଯେବେ ଦେଖିନାହଁ ହୀନ ବୁଦ୍ଧି ନରେ
ଦେଖିବ ଆସରେ ଧାଇଁ,
ବହୁ ଖୁସି ହୋଇ କୋକେଇ ସାଜଇ
ଯିବାକୁ ମଶାଣି ଭୂଇଁ ।
ନିଜେ ସବୁ ନେଇ ଭଣ୍ଡିଲୁ ସଭିଁଙ୍କୁ
ବିଶ୍ୱାସରେ ଦେଇ ବିଷ,
ଯେତେ ଖାଇଅଛୁ ସବୁ ଓଗାଳିବୁ
ଭାବିଛୁ ତୁ ମନେ କିସ ।
ଗର୍ବ ଅହଙ୍କାରେ ସଭିଙ୍କୁ ନାଶିଲୁ
ବିଳାସରେ ଦେଇ ମନ,
ମୋର ଉଗ୍ରରୂପ ଦେଖାଇଲେ ତୋତେ
କେଉଁଠି ରଖିବୁ ପ୍ରାଣ ?
ଯେଉଁ କର୍ମ କଲେ ସେହି ଫଳ ମିଳେ
କହେ ତୋର ନୀତିଶାସ୍ତ୍ର,
ଏହି ନିୟମକୁ ଖଣ୍ଡିବା ପାଇଁ ରେ
ଧରିବୁ ତୁ କେଉଁ ଅସ୍ତ୍ର ।
କେତେ ଯେ ସଂକେତ ଦେଖାଇଲି ମୁହିଁ
ତଥାପି ଚେତିଲୁ ନାହିଁ,
ହୃଦୟକୁ ତୋର ପଥର କରରେ
ଦେଖେ ପାରୁଛି କି ସହି ।
ସଜ କର ତୋର ଦୁଇ ନୟନକୁ
ବିନାଶ ଦେଖିବା ପାଇଁ,
ବିବତ୍ସା ପ୍ରକୃତି ଉଗ୍ର ହୁଏ ଆଜି
ବିଧିର ନିର୍ଦ୍ଦେଶ ପାଇ ।