ବାତ୍ୟା
ବାତ୍ୟା
ସେ ଠିକ୍ ଆସେ ଏଇ ସମୟକୁ
ଯଦିଓ ପ୍ରତିବର୍ଷ ନୁହେଁ
ତାରିଖ ବଦଳେ ସିନା
ମାସ କିନ୍ତୁ ଠିକ୍ ରହେ ।
ସେ ଆସେ ପାର୍ବଣ ଋତୁରେ
ମାଆଙ୍କର ପୂଜା ଆବାହନେ
ଉଚ୍ଚାରିତ ମନ୍ତ୍ର ସବୁ
ଆକାଶେ ମିଶିବା ବେଳେ
ସବୁଜ କ୍ଷେତରେ ଯେବେ
ଗର୍ଭବତୀ ଧାନଗଛ
ଖେଳୁଥାଏ ପବନ ଦୋଳିରେ ,
ଚାଷୀଟିଏ ସ୍ଵପ୍ନ ଦେଖୁଥାଏ
ପାହାନ୍ତି ପହରେ
ଏ ସନ୍ ଝିଅ ଟିକୁ ଉଠେଇବ
ଫସଲ ଅମଳ ପରେ
ଅତି ସୁରୁଖୁରୁରେ ।
ସେ ଆସେ ଅଚାନକ
ସାଥେ ଧରି ଅଣଚାଷ ବାଆ
ବଜ୍ର ଆଉ ବିଜୁଳି ରେ
ସଜେଇ ତା' ପଟୁଆର ହିଆ
ମେଘର ଗର୍ଜନ ସୃଜେ
ଧ୍ଵଂସର ତାଣ୍ଡବ
ବିପର୍ଯ୍ୟସ୍ତ ହୁଏ ଧରଣୀର ସବୁଜ ପଣତ,
ହିଡମୁଣ୍ଡେ କାନ୍ଦେ ଚାଷୀ ମୁଣ୍ଡେ ହାତଦେଇ
ଭାଙ୍ଗେ ତା'ର ମଝି ମେରୁଦଣ୍ଡ
ପାଣି ପରି ଉଜୁଡେ ତା' ସବୁ ମେହେନତ୍ ।
ମଥାନରୁ ଉଡିଯାଏ ଛଣର ଛପର
ବର୍ଷା ମାଡେ ପବନର ତୋଡେ
କାନ୍ଥ ପଡେ ଅତଡା ଅତଡା
ଘର ବୋଲି ଦିଶୁଥାଏ ମାଟିର ପିଣ୍ଡୁଳା,
ଧାନ ମୁଗ ବିରି ଓ ଚାଉଳ
ଛ' ମାସର ସାଇତା ଖାଦ୍ୟ
ଛ' ମିଣ୍ଟିରେ ଏକାକାର ମାଟିରେ ପଖଳା
ଗଛ ମୂଳେ ବସିଥାଏ ଅନୁଢା ଅବଳା ।
ଅଭୟ ଦାୟିନୀ ମାଆ
ଭୟର ମୁଦ୍ରାରେ
ଭକ୍ତ ପାଇଁ ବିସର୍ଜନ ନିଅନ୍ତି ଇଚ୍ଛାରେ,
ପାର୍ବଣର ରୂପା ରଂଗ ଫିକା ପଡେ
ମଣିହରା ଫଣିପରି ଗୋଟାକ ଭରସା
ଭାସୁଥାଏ ଝଡ ଭସାଣି ରେ ।
ବିଶ୍ଵାସର ସେତୁ ବନ୍ଧ ଭାଙ୍ଗେ
ଅକାତ କାତ ପାଣିରେ ମିଳାଏ
ସବୁ ରାଗ ଅଭିମାନ ଥୋଇ ମାଆର ମୁଣ୍ଡରେ
ନିଶ୍ଚିନ୍ତ ରେ ଶୁଏ ଚାଷୀ
ଆସନ୍ତାକୁ ଆଉ ଥରେ
ଆଶ୍ବାସନା ପିଇ
ଜୀବନ ଜୀଇବା ପାଇଁ
ବିଶ୍ଵାସକୁ ଠୁଳ କରୁଥାଏ ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା ।
11th October 2018