ବୈଶାଖ ଆସିଛି ଫେରି
ବୈଶାଖ ଆସିଛି ଫେରି
ଫଗୁଣ ଆସର ମଉଳି ଗଲାଣି
ବୈଶାଖ ଆସିଛି ଫେରି
ଡହଡହ ତାତି ତାପିତ ଏ ମାଟି
ସ୍ବେଦ ବିନ୍ଦୁ ପଡେ ଝରି ।।
ମୃଦୁ ସମୀରଣ ହଜିଲାଣି ଧୀରେ
ଝାଂଜି ବହେ ସାଇଁ ସାଇଁ
ଗାଆଁ ରୁ ସହର ବଣରୁ ପାହାଡ
ନିଃସଙ୍ଗତା ମାରେ ହାଇ ।।
ନୀରବ ନିର୍ଜନ ମାଟିରୁ ଆକାଶ
ଛାଇ ଆଲୁଅର ଖେଳ
ଅଦିନିଆ ଝଡ କାଳ ବଇଶାଖୀ
ନିଛାଟିଆ ଖରାବେଳ ।।
ଆକାଶ ଛାତିରୁ ଝରିପଡେ ତାତି
ହୃଦୟେ କମ୍ପନ ଖେଳେ
ଦେହ-ମନ-ପ୍ରାଣ ନିସ୍ତେଜ ଅବଶ
ଜ୍ୟୋତି ଧାର ଚକ୍ରବାଳେ ।।
ଫୁଲର ସହରେ ମଳୟର ଚିହ୍ନ
ଧୀରେ ଅପସରି ଯାଏ
କୋଇଲିର କୁହୁ ମଧୁପ ଗୁଂଜନ
ସୁର ତ ବେସୁରା ହୁଏ ।।
ଦୂର ଆମ୍ବ ତୋଟା ଶାଳ ବଣ ଛାଇ
ହସୁଥାଏ ନୀରବରେ
ପଳାଶ ଫୁଲରେ ମନ ପୂରେ ନାହିଁ
ଲୁହ ଭିଜେ ନୟନରେ ।।
ସନ୍ତୁଳିତ ଆତ୍ମା ସନ୍ତାପିତ ପ୍ରାଣ
ଖୋଜେ ଟିକେ ଶୀତଳତା
ଚନ୍ଦନ ପ୍ରଲେପ ମଧୁର ମହକେ
ଜୀଇଁଉଠେ ପ୍ରାଣସତ୍ତା ।।
ରବିର ଝଲକ ପ୍ରଚଣ୍ଡ ଉତ୍ତାପେ
ବଢି ବଢି ଯାଏ ତୃଷ୍ଣା
ନୀରବ ନିଥର ନିରସ ପ୍ରହର
ଖୋଜେ ଭିଜାମାଟି ବାସ୍ନା ।।
ମଧୁର ହାସିନୀ ବୀର ପ୍ରସବିନୀ
ଧରା ହୁଏ ଶୋଭାହୀନା
କଳକଳ ସୁରେ ସ୍ରୋତସ୍ବିନୀ ଝରେ
ଆଖିରେ ଲୁହର ବନ୍ୟା ।।
ଜ୍ୟୋସ୍ନାଭିଜା ରାତି ଥରିଯାଏ ଛାତି
ହଜିଯାଏ ମାଦକତା
ଝିଙ୍କରୀ ଝଂକାର ହୁଅଇ ପ୍ରଖର
ମାଡି ଆସେ କରାଳତା ।।
ପ୍ରୀତିର ଅଗଣା ଗୋଲାପର ଶେଯ
ଯନ୍ତ୍ରଣାକ୍ତ ଲାଗେ ଯାହା
ବାସର ରାତିର ଦିକି ଦିକି ଦ୍ବୀପ
ନୀରବରେ ଖୋଜେ ରାହା ।।
ନିଦାଘ ବୈଶାଖ ମରୁ ମରୀଚିକା
ଜୀବନ ସଂଗୀତ ଗାଏ
କଣ୍ଟକିତ ପଥେ ପାଦ ଚାପି ଚାପି
ଝଡ ସାଥେ ଖେଳିହୁଏ ।।