ମୋ ତୁଳୀ ମରଣ ନାହିଁ
ମୋ ତୁଳୀ ମରଣ ନାହିଁ
1 min
423
ବସନ୍ତ ପଞ୍ଚମୀ ବାସନ୍ତୀ ବେଳାରେ
ଭକ୍ତିର ଆଳତି ଦେଇ ।
ଆବାହନୀ ସୁରେ ଆବାହନ କରେ
ଆସ ଗୋ ଆଶ୍ୱସ୍ତ ହୋଇ ।
ତୁମରି ବୀଣାର ସୁର ଝଙ୍କାରରେ
ତୁମରି ସଙ୍ଗୀତ ଗାଇ ।
ମୋ' ମନର ଫୁଲେ ହାର ମୁଁ ଗୁନ୍ଥିଛି
ଗଳାରେ ଦେବି ପିନ୍ଧାଇ ।
ଜାଣେନା ସେ ହାର ପାରିବ କି କରି
ତୁମ ଗଲା ସୁଶୋଭିତ ।
କୁଙ୍କୁମ ହାର ଯେ ତୁମରି ଗଳା କୁ
କରିଅଛି ବିମଣ୍ଡିତ !
ବଉଳ ବଉଳ ଭିଗା ବାସନାରେ
ସବୁ ଦିଗ ଚହଟୁଛି ।
ବରଷ ଯାକର ପ୍ରତୀକ୍ଷା ଟି ମୋର
ସତ୍ୟତାରେ ବଦଳିଛି ।
ତୁମେ ତ ବରଦା ତୁମ ବରଦାନେ
ଲେଖୁଥିଲି,ଲେଖୁଥିବି ।
ସରି ସରି ଯିବ ଜୀବନ ସଳିତା
ତଥାପି ମୁଁ ଚାଲିଥିବି ।
ଚାଲିଥିବ ମୋର ନିର୍ଲିପ୍ତ ଲେଖନୀ
ତୁମରି ଆଶିଷ ଧାରେ ।
ତୁମ ମମତାରୁ ଜ୍ଞାନ ଝରି ଝରି
ଭିଜୁଥିବି ମୋ ତୁଳୀରେ ।
ଭିଜି ଭିଜି ତୁମ ବୀଣାର ଝଙ୍କାରେ
ମୋ କବିତା କଳ୍ପ କଢି ।
ଫୁଟି ଚାଲିଥିବ, ବାଣ୍ଟି ଚାଲିଥିବ
ତୁମ ଦିବ୍ୟ ଜ୍ଞାନାଞ୍ଜଳି ।
ସେ ଅଞ୍ଜଳି ଅର୍କେ ସଙ୍ଗୀତ ଲହରୀ
ବେସୁରା କୁ ସୁରେ ସୁରେ ।
ଭରି ଦେଇଯିବ ହସରେ,ସଂସ୍କାରେ
ଜ୍ୟୋତିର୍ମୟୀ ଆଲୋକରେ ।
ଅହେତୁକ ରଙ୍ଗେ ଭରା ରଂଗଶାଳା
ତୁମରି ଇଙ୍ଗିତ ପାଇ ।
ଜୀବନର ସେଇ ଭ୍ରଷ୍ଟ ତିମିରକୁ
କାଳେ, ପାରିବ ହଟେଇ !
ମା'ଗୋ ବୀଣାପାଣି ସୁରମ୍ୟ ଉଜାଣି
କୋଳେ କୋଳେ ଦିଅ ଢାଳି ।
ଇର୍ଷା ଅହଂକାର କଳୁଷ ବିକାର
ଅବିରତେ ଯାଉ ଜଳି ।
ମାଆ ସରସ୍ୱତୀ, ସାରସ୍ୱତ କ୍ଷେତ୍ରେ
ସତ୍ୟତା ପ୍ରତିଷ୍ଠା କର ।
ବଳିଷ୍ଠ ହେଉ ଗୋ ଆମରି ଲେଖନୀ
ନ ରହୁ ଛଳ ର ଡର ।
ତୁମରି ସଂକେତେ ଝରି ଚାଲିଥିବ
ନୀତି,ନ୍ୟାୟ ଲେଖନୀରେ ।
ମର ଶରୀରକୁ ଅମର କରିବି
ସଂସ୍କୃତିର ସଂଗୀତରେ ।
ମୋ ଅନ୍ତିମ ଯାତ୍ରା ମଶାଣିକୁ ଯିବ
ତୁମରି ସଙ୍ଗୀତ ଗାଇ ।
ତୁମରି ମନ୍ଦିରେ ଅମର ରହିବ
ମୋ ତୁଳୀ,ମରଣ ନାହିଁ ।