ସ୍ମୁତି ସେତ ରୂପା ଜହ୍ନ
ସ୍ମୁତି ସେତ ରୂପା ଜହ୍ନ
ବେଶ୍ ଭଲ ଥିଲା ମୋ ପିଲାଦିନ
ହସୁଥିଲି ଖେଳୁଥିଲି ପବନ ସାଥି ରେ
ନାଚୁଥିଲି ଗାଉଥିଲି ତାରାଙ୍କ ମେଳରେ
ଦେଖୁଥିଲି ସ୍ବପ୍ନ କେତେ ଜହ୍ନର କୋଳରେ
ଗଢୁଥିଲି ବାଲିଘର ପରୀ ରାଇଜରେ
ଧରୁଥିଲି ପ୍ରଜାପତି ଲୁଚି ଲୁଚି ଫୁଲ ବଗିଚାରେ ।।
ମନେପଡେ ମୋ ପିଲାଦିନ
ଗାଅଁ।ଦାଣ୍ଡ ,ଲୁଚୁକାଳି ,କବାଡି,ବାଗୁଡି
ପଂଚୁଦୋଳ,ପୁଚିଖେଳ,କୁଆଁର ପୁନେଇଁ
ପୁଣି ରଜଦୋଳି,ମକର ସଂକ୍ରାନ୍ତି
ମଣ୍ଡାପିଠା,କାକରା,ଆରିଷା
ନିଛାଟିଆ ଖରାବେଳେ ଗୁଡିଉଡା ନାଟ
ମାଣବସା ଗୁରୁବାର ମର୍ଗଶୀର ମାସ
କାର୍ତ୍ତିକ ପୁନେଇଁ ,ଡଙ୍ଗା ଭସା ,ହାଡଭଂଗା ଶୀତ
ପାହାନ୍ତି ରାତିରେ ଉଷୁମ ନିଅଁ।ର
ମନଛୁଆଁ ଗୀତ
ଅସରନ୍ତି ଭାବନା ଅଳସ ନିଶ୍ବାସ
କେତ ମିତ କେତେ ଯେ ସଂଗାତ ।।
ବେଶ୍ ଭଲ ଥିଲା ମୋ ପିଲାଦିନ
ଜାଣି ନଥିଲି ମୁଁ
ପର କିଏ ପୁଣି କିଏ ଆପଣାର
ଦୁଃଖର ଗଭୀରତା କେତେ
ପୁଣି ସୁଖର ସୌନ୍ଦର୍ଯ୍ୟ ।।
ହସ ଖୁସି ଥଟ୍ଟା ମଜା ରାଗ ହିଂସା
ମାନ ଅଭିମାନ ସବୁ ପାଣିର ଫୋଟକା
ମା ର ପଣତ ସେନହ ଆଶିଷ
ଧୋଇ ଦେଉଥିଲା
ଲୁହ ଲହୁ ଯେତେ ସବୁ ବ୍ୟଥା।।
ଜାଣି ନଥିଲି ମୁଁ କିଛି ଗାଣିତିକ ସୂତ୍ର
ମିଶାଣ -ଫେଡାଣ -ଗୁଣନ -ହରଣ
ଉଡୁଥଲା ମନ ମୋର ପବନର ବେଗ
ଜାଣି ନଥିଲି ମୁଁ ଏତେ କୁଟିଳ ବଂଧନୀ
ସ୍ତରୀଭୂତ ସ୍ତର ସ୍ତର ମୋ ଚୌଦିଗ ।।
ଚାହୁଁ ଚାହୁଁ ବୟସଟା ଗଡିଗଲା
ନଇଁଗଲା ସୂର୍ଯ୍ୟ
ସକାଳରୁ ମଧ୍ୟାହ୍ନ ମଧ୍ୟହ୍ନରୁ ସଂଜ
ଶୀତରୁ ବସନ୍ତ ପୁଣି ବସନ୍ତରୁ ଗ୍ରୀଷ୍ମ
ଧୁ ଧୁ ତାତି ନିଛାଟିଆ ରାତି
ଅକ୍ଟୋପସ୍ ମାନଂକ ସାମ୍ରାଜ୍ୟ।।
ଆଖି କୋଣେ ବିନ୍ଦୁ ବିନ୍ଦୁ ଲୁହ
ମନତଳେ ଅମାନିଆ କୋହ
ଖସି ପଡୁଛି ଦୁଃଖର ପାହାଡ ।।
ହେ ସମୟ ! ମାଗୁନି କିଛି ମୁଁ
ଧନ ରତ୍ନ ରାଜସିଂହାସନ
ବିଶ୍ବ ବିଜୟୀ ବୀରର କୃତିତ୍ବ
ଫେରାଇ କି ପାରିବ ତୁମେ ?
ଲିଭିଯାଇଥିବା ମୋ ଚୁନା ଚୁନା ହସ
ରୂପେଲୀ ଅତୀତ
ମୋ ପିଲାଦିନ ମୋ ଷଠି ଘର
ଭିଜା ଭିଜା ସ୍ମୃତି ସେତ ରୂପା ଜହ୍ନ ।।
----------------
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ , ବଡବିଲ।