ଜହ୍ନି ଫୁଲ ଠୋ ଠା
ଜହ୍ନି ଫୁଲ ଠୋ ଠା
ସ୍ମୃତି ପଟେ ଜାଗେ
ପିଲା ଦିନର ମୋ
ଛୋଟ ଗାଁଆଟିର
ଅଶିଣ ଗୋଧୂଳି ଲଗନ।
ଚାଳଘର ପିଢା,
ବାରିର ବାଡରେ
କାକୁଡି ଓ ଜହ୍ନି
ଫୁଲର କି ଶୋଭା
ରୂପ ତା ହଳଦୀର ବର୍ଣ୍ଣ॥
କୁଆଁରୀଙ୍କ ମନ
ଅତି ଛନ୍ନ ଛନ୍ନ
ସେ ଫୁଲକୁ ତୋଳି
ଆଣୁଥିଲେ ବଡ ସରାଗେ।
ଫିଙ୍ଗୁଥିଲେ ତାକୁ
ପିଢା ଉପରକୁ
ଗାଇ ଗାଇ ଗୀତ କି ରଙ୍ଗେ॥
ଗାଉଥିଲେ ଗୀତ—
"ଜହ୍ନି ଫୁଲ ଠୋ ଠା
କାକୁଡି ଫୁଲ ଠୋ ଠା
ଗୁଣ୍ଡୁଚି ମୂଷା କହି ଯାଇଛି
ଚାଉଳ ମୂଠେ ଥୋଇଥା"
ସମୟ ସ୍ରୋତରେ
ଗାଁଆରେ ଦିଶେନି
ମାଟି ଘର ଚାଳ ଛପର।
ବାରିର ବାଡରେ
ଫୁଟୁନାହିଁ ଆଉ
ଜହ୍ନି କି କାକୁଡିର ଫୁଲ॥
ନିଶୀଥ ପ୍ରହରେ
ଗାଁଆ ମଝି ଦାଣ୍ଡେ
ମେଳି ହୋଇ ସବୁ ତରୁଣୀ।
ଗାଉ ନାହାନ୍ତି ସେ
ଶୁଭୁନାହିଁ ଆଉ
କୁଆଁର ପୁନେଇଁ
ଜହ୍ନ ଗୋ ଫୁଲ ବଉଳ ବେଣୀ॥
ଗାଁଆର ସଂସ୍କୃତି
ପରମ୍ପରା ସବୁ
ଯାଉଅଛି ଧୀରେ ବଦଳି
ଏତ ସମୟର-
ଦାନ ଏଥିପାଇଁ
କାହାକୁ କରିବା ଦାୟୀ
ଆଉ—
କା ସଙ୍ଗେ କରିବା କଳି ?
*******