ମାଗୁଣି
ମାଗୁଣି
ମୋ ଅଶ୍ରୁ ର ଦୁଇ ଟୋପା
ଆପଣଙ୍କ ପାପୁଲିରେ ଦେଲି,
ଯତନରେ ସାଇତିବା ପାଇଁ।
ବେଦନାର କିଛି ଛିଟା
ଆପଣଙ୍କ ହୃଦୟେ ରଖିଲି,
ପରିମାଣ ପରଖିବା ପାଇଁ।
ନାହିଁ କିଛି ଦେବା ପାଇଁ
ସୁନା ରୂପା ହୀରା ନୀଳା ମୋତି,
ଅଛି ଖାଲି ମନଟି ମୋହର।
ହତଭାଗ୍ୟ ମଣିଷ ମୁଁ
ଆପଣଙ୍କୁ ଦେଇପାରେ ଖାଲି,
ମୁଠା ମୁଠା ଭକତି ସମ୍ଭାର।
ମାଗୁନାହିଁ ବଦଳରେ
ଆପଣଙ୍କ ସୁନା ପାଲିଙ୍କିରୁ,
କାଣିଚାଏ ସୁନାର ସପନ ।
ବଦଳରେ ଜଗତର
ଲୋକଙ୍କର କଲ୍ୟାଣ ମାଗୁଛି,
ଲୋଡ଼ା ନାହିଁ ଆଉ କିଛି ଧନ।