ଧୂସର ବଳୟ
ଧୂସର ବଳୟ
ଶୂନ୍ୟତାର ପଥ କେତେ କଣ୍ଟକିତ
ରୁଧିର ପଡଇ ଝରି
ହାତ ପାହାନ୍ତାରୁ ପଦ୍ମ ଘୁଞ୍ଚି ଯାଏ
ଆଶା ମୋର ଅସୁମାରି ।।
ସ୍ଵପ୍ନ ସବୁ ମୋର ଉଡନ୍ତି ଆକାଶେ
ଡେଣା ମେଲି ଫର ଫର
ଅଦିନିଆ ଝଡ ଢାଙ୍କି ଦିଏ ଯେବେ
ଲୁହ ବହେ ଧାର ଧାର ।।
ଲୁହ ଧାର ଯେତେ ମାଟିରେ ଭିଜଇ
ମାଟି ହୁଏ ଅଶ୍ରୁସିକ୍ତା
ମହ ମହ ବାସେ ଭିଜା ମାଟି ବାସ୍ନା
ବ୍ୟାକୁଳିତ ପ୍ରାଣ ସତ୍ତା ।।
ନିଃସଙ୍ଗତା କେତେ ହାତ ଠାରି ଡାକେ
ନିଥର ନୀରବ ରାତି
ଡହ ଡହ ବହେ କାଳବଇଶାଖୀ
ବଢିଯାଏ ସିନା ତାତି ।।
ଚଉଦିଗ ଯାହା ଧୂମାନ୍ତ ବଳୟ
ମେଂଚା ମେଂଚା ଅନ୍ଧକାର
ଅଗ୍ନିଶିଖା ଯେତେ ଉର୍ଦ୍ଧ ଧାବମାନ
ନିଷ୍ପ୍ରଭ ଜ୍ୟୋତି ସମ୍ଭାର ।।
ବଉଦ ଫାଙ୍କରେ ଚନ୍ଦ୍ରମା ଲୁଚଇ
ଝରିପଡେ ଫିକା ଜ୍ୟୋସ୍ନା
ମୋ ମନ ମୌସୁମୀ ଲୁଚକାଳି ଖେଳେ
ବଢି ବଢି ଯାଏ ତୃଷ୍ଣା ।।
ମରୁ ମରୀଚିକା ତୃପ୍ତ କରେନାହିଁ
ମରୁଦ୍ୟାନ ବହୁଦୂରେ
ଅଶାନ୍ତ ହୃଦୟ ପ୍ରକମ୍ପିତ ଆତ୍ମା
ଜଳେ ସିନା ଜଉଘରେ ।।
ସାଗର ତରଙ୍ଗ ପ୍ରଖର ନିକ୍ଵଣେ
ବେଳା ଭୂଇଁ ପ୍ରକମ୍ପିତ
କୂଳ ଲଂଘେ ଯେବେ ବାଲିଘର ଭାଂଗେ
ଧ୍ବଂସଶିଖା ପ୍ରଜ୍ଵଳିତ ।।
ପ୍ରେମ ପ୍ରଣୟର ମଧୁ ରାତି ଲାଗେ
ପ୍ରୀତିହୀନ ବାସହୀନ
ମଧୁ ଚନ୍ଦ୍ରିକାର ମଧୁର ମୂର୍ଚ୍ଛନା
ପ୍ରାଣହୀନ ମଧୁହୀନ ।।
ଯାତନା ବଳୟେ ଜୀବନ ଜଳୁଛି
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ଶୂନ୍ୟ ଦିଗବଳୟେ ଖୋଜେ ପୂର୍ଣ୍ଣ ଇନ୍ଦୁ
ପୁଣ୍ୟତାରେ ପରିପୂର୍ଣ୍ଣ ।।
ଅଧ୍ୟାପକ ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ, ବଡବିଲ
ଜିଲ୍ଲା--କେନ୍ଦୁଝର-୭୫୮୦୩୫