ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
ମୋ ମ୍ଳାନ ମୁହୂର୍ତ୍ତର ମୂଲ୍ୟାଙ୍କନ
ଯଦି କେ' କହିବ ଉଜେଇ ଦେଉନ ଏ ଅପୋଷା ଲେଖା , ମଉନ ରହୁନ
ଅନେକ ତ ପୁଣି ପାରୁଛନ୍ତି ଜିଇଁ ତୁମେ ପାରିବନି କାହିଁକି କହୁନ
କେମିତି ମୁଁ ତାଙ୍କୁ କହିବି ଗୋ ପ୍ରିୟେ
ଲେଖା-ନିଶା-ମିଶା ମହୁରେ ମୁଁ ଜିଏଁ
ତାହାବିନା ମୁଁତ ପାରିବିନି ଜିଇଁ
କେମିତି ତାହାକୁ ଦେବି ଗୋ ଉଜେଇଁ
ପାରିବି କି କାଳୁ ମୋ ଋଣ ସୁଝେଇ
ହେବନି କି ସହୀ ମୋ ଆସିବା ବ୍ୟର୍ଥ
ଯଦି ମୁଁ ଆସିଛି ଈଶ୍ଵରଙ୍କ ଇଚ୍ଛା ପାଇ ରେ
ରୁହେଁ ମଣିଷଟେ ହୋଇ ରେ
ଭୁଲ ବୁଝିବନି ସହୀ ରେ ।
କେତେ ଆସୁଛନ୍ତି କେତେ ଯାଉଛନ୍ତି ମାଟିତଳେ ଜନ୍ମି ଜିଆ ଜିଉଁଛନ୍ତି
ମଣିଷ ହୋଇ ମୁଁ ସେଭଳି ଜିଇଲେ ଶ୍ରେଷ୍ଠଯୋନୀ ବୋଲି କେମିତି କୁହନ୍ତି
ହେଲେ ମୁଁ ନିଆରା ତୁମେ ଜାଣ ସାରା
ବଞ୍ଚିବାରେ ମୋର ନାହିଁ ପତିଆରା
ଆସିବାର ସ୍ମୃତି ଛାଡିଯିବା ବିନା
ଫେରିବା ହୋଇବ ଜନ୍ମାବମାନା
ମୋତେ କୁହେ ସଦା ମୋ ହୃଦ ଚେତନା
ସେପାଇଁ ସାମର୍ଥ୍ୟେ ଧରିଛି ଲେଖନୀ
ଅଶକତ ଯାଏ ଧରିଥିବି ତାକୁ ମୁହିଁ ରେ
ଶପଥ ତ ଅଛି ନେଇ ରେ
ଭୁଲ ବୁଝିବନି ସହୀ ରେ ।
ହଅଁ ସଖୀ ଏଇ ସାଂସାରିକବାଦ ବଞ୍ଚିବାରେ ବାଛି ଭରେ ଅବସାଦ
ନିୟମର ଦ୍ବାହି ଲଦଇ ଅନ୍ୟରେ ସେ ନିଲଠାପଣେ କରୁନି ମୁଁ ଖେଦ
ଯଦି ଜିଇବାକୁ ହୋଇବ ସହୀରେ
ରହୁ ମୋ ଚିନ୍ତନ ସୁବିଧା ପହିରେ
ନ ବଦଳୁ ମୋର ଜୀବନର ଛନ୍ଦ
ଲେଖନୀ ପାଇଁକି ନ ଆସୁ ପ୍ରମାଦ
ସାବଲୀଳ ରଙ୍ଗ ଲୋଡ଼ଇ ସ୍ବାଛନ୍ଦ୍ୟ
ଖେଦ ମୁଁ କରିବି ବଞ୍ଚିବାରେ କିଆଁ
ମୁଁତ ଜନ୍ମିନାହିଁ ଯୋଗଜନ୍ମାଟିଏ ହୋଇ ରେ
ଚିନ୍ତାରେ ଚେତନ ରୋଇ ରେ
ଭୁଲ ବୁଝିବନି ସହୀ ରେ ।
ପଥ ଚାଲୁଚାଲୁ ଯେବେ ଥକିଯିବି କେହିନାହିଁ ବୋଲି ଆହାବି ରହିବି
ଶରୀରରେ ଯେବେ ଯନ୍ତ୍ରଣା ଲହର ମୁଣ୍ଡଟେକି ହେଲେ କାହାକୁ କହିବି
ଲହୁ ଯେବେ ଲୁହ ହୋଇ ଗୋ ବହିବ
ଅବାଞ୍ଛିତେ ସବୁ ପିଇବାକୁ ହେବ
ଏକାନ୍ତ ଯେବେଳେ ହେବ ଘନୀଭୁତ
ଚିନ୍ତନକୁ ମୋର କରି ଇତସ୍ତତଃ
ଜିଇଁବା ହୋଇବ ଅସହ୍ୟ ନିତାନ୍ତ
ଇନ୍ଦ୍ରିୟାତୀତ ନୁହଁଇ ମୁଁ ଯେଣୁ
ମସ୍ତିଷ୍କ ଭାବନା ଜନ୍ମିବ ନାହିଁ ଗୋ
ସାବଲୀଳ ରୂପ ନେଇ ରେ
ବଞ୍ଚି ମରୁଥିବି ମୁହିଁ ରେ
ଭୁଲ ବୁଝିବନି ସହୀ ରେ ।
ନିର୍ଣ୍ଣୟ ଯଦି ଗୋ ହେବ ସୁଖବନ୍ଦୀ ସାରା ଦୁନିଆଟା ରହୁ ପଛେ ନିନ୍ଦି
ଅନ୍ତତଃ ତୁମେ ଗୋ ବୁଝିବନି ଭୁଲ ଖୋଲିଦେଲି ତେଣୁ ହୃଦ ଅଭିସନ୍ଧି
ତୁମେତ ସେପୁରେ ମୁଁତ ମାଟିପୁରେ
ମାଟିମୋହେ ସଦା ତୁମକୁ ମୁଁ ଝୁରେ
ଅନେକ କୁହନ୍ତି ଭୁଲ କରିବନି
ହେଲେ ମୁଁଗୋ ଲୁହ ପିଇପାରିବିନି
ଗୋଟିଏ ଲକ୍ଷରେ ଦକ୍ଷତା ରହୁ
ସମାଜ ପାଇଁକି ସୁବାସେ ପୂରିତ
ଫୁଟାଫୁଲଟିଏ ହୋଇ ରେ
ପାରଦର୍ଶିତାକୁ ନାଇ ରେ
ଭୁଲ ବୁଝିବନି ସହୀ ରେ ।
----- ଶେଷ------