ବାପାଙ୍କ କୋକେଇ
ବାପାଙ୍କ କୋକେଇ
ବୋହୂମାନେ କାନ୍ଦୁଥିଲେ ବାହୁନି ବାହୁନି
ଦାଣ୍ଡ ଅଗଣାରେ ହାତ ଗୋଡ ଛାଟି
ପୁଅମାନେ ଗୁମସୁମ୍ ଚୁପଚାପ୍
ବାପା ଶଯ୍ୟାଶାୟୀ ଛଅ ମାସ ହେଲା
କୋମାରେ ଆଉଟୁ ପାଉଟୁ
ହସ ନାହିଁ, ଲୁହ ନାହିଁ, କଥା ନାହିଁ
ଭାବ ନାହିଁ ,ରାଗ ନାହଁ,କ୍ରୋଧ ବି ନାହଁ
କେବଳ ଅସହ୍ୟ ଓ ଅବ୍ୟକ୍ତ ଯନ୍ତ୍ରଣା ।।
ଡାକ୍ତର ଙ୍କ ପାଟି ଶୁଭିଲା ଡ୍ରଇଂ ରୁମ୍ ରେ
ବାପା ଚାଲିଯିବେ ବୁଧବାର
ଠିକ୍ ରାତି ଦଶଟା ରେ
ସକାଳୁ ସକାଳୁ ସରିଯିବ କାମ
ଯିଏ ଯାହା ଚାଲିଯିବେ ନିଜ ନିଜ କର୍ମେ ।।
ସାନପୁଅ ଆଖି ଲୁହ ପୋଛି ଧାଇଁଗଲେ
ଚୁପଚୁପ ପତ୍ନୀ ଙ୍କୁ କହିଲେ
"ଜାଣିଲଣି ପ୍ରିୟେ ! ବାପା ଆମ
ଚାଲିଯିବେ ଆଉ କିଛି ସମୟ ପରେ
ଆଜି ରାତି ଠିକ୍ ଦଶଟାରେ ଡାକ୍ତର କହିଲେ ।"
ପତ୍ନୀ ତାଙ୍କ ହସିଦେଲେ ତରବରେ
"ଭଲହେଲା ଶୀଘ୍ର ଯାଆନ୍ତୁ ସେ
ଆଜି ନ ହେଲେ କାଲି ସେ ତ ଯିବେ
କାମ ସାରି ଚାଲିଯିବା ଆମେରିକା ଶୀଘ୍ର
ପିଲାମାନଙ୍କ ପାଠପଢ଼ା ସହ ତୁମ ବିଜିନେସ
ଉଛୁର ହେଲାଣି ବାପାଙ୍କ ଚକରରେ "।।
ବଡପୁଅ ରୁମାଲରେ ମୁହଁ ପୋଛି
ଖଣ୍ଡିକାଶଟିଏ ମାରି ନିର୍ଦ୍ଦେଶ ଦେଲେ
ଘର ଚାକରକୁ " ବିଳମ୍ବ ଆଉ କରନା ,
ଲାଗିପଡ ଯୋଗାଡରେ ଛଅଖଣ୍ଡ କାଠ ସହ
ଦାମିକା ଫୁଲମାଳ, ଚନ୍ଦନ ,ଘିଅ ଓ
ଅନ୍ୟ ଯହ ଆବଶ୍ୟକ ଠିକ୍ ସମୟରେ ।"
ବାପା ଙ୍କ କୋକେଇ ତିଆରି ହେବ
ବାସି ମଡା ହେବେ ନାହିଁ ତାଙ୍କ ବାପା
ପ୍ରାଣ ଠାରୁ ଅଧିକ ଭଲ ପାଆନ୍ତି ସେ ତାଙ୍କୁ
ଭଲହେବ ଝାମେଲା ଟା ଚାଲିଯିବ
ଚାକିରି ରେ ଅସୁବିଧା ହେବନାହିଁ ଆଗକୁ ।।
କେଉଁଠି ଥିଲେ ବଡବୋହୂ ପହଂଚିଗଲେ
ପାଦ ଚାପି ଚାପି ଧୀରେ ଧୀରେ
"ହଇହୋ ଜାଣିଲଣି ଗୋଟେ କଥା,
ଚାଳିଶ ହଜାର ଡାକ୍ତର ଙ୍କୁ ଦେଲି
ବାପାଙ୍କ ଦୁଃଖ ମୁଁ ସହିପାରିଲିନି
କଷ୍ଟ ଭୋଗୁଥିଲେ ବିଚରା ।
ଆଉ ବେଶୀ ଖର୍ଚ୍ଚ କରିବନି
ଆଗକୁ ଫ୍ଲାଟ କିଣିବାରେ ଅଛି ମୁମ୍ବାଇ ରେ।"
ବଡପୁଅ ମୁରୁକି ହସିଲେ
ତାରିଫ୍ କଲେ ପତ୍ନୀ ଙ୍କ ଅସଲ ବୁଦ୍ଧି କୁ ।।
କୋମାରେ ଥିଲେ ବି ବାପା ଶୁଣିପାରୁଥିଲେ
କହିବାକୁ ଚେଷ୍ଟା କରୁଥିଲେ କିଛି କଥା
ମାତ୍ର କହିପାରୁନଥିଲେ
ମନ ତାଙ୍କ ବ୍ୟାକୁଳିତ,ଆତ୍ମା କାନ୍ଦୁଥିଲା
କି ସୌଭାଗ୍ଯ ବାପାମାନଙ୍କର ସତେ !
ଜୀଇଁ ଥାଉ ଥାଉ ମଶାଣୀ ର ଡାକ ଆସେ
ଜୁଇ ପ୍ରସ୍ତୁତ ହୁଏ ମହମହ ବାସେ
ପୁଣି ଚନ୍ଦନ କାଠରେ ।।
ଶେଷ ଯବନିକା ପଡିଗଲା ନାଟକ ସରିଗଲା
ବାପାଙ୍କ ନିଶ୍ବାସ ବନ୍ଦ ହୋଇଗଲା
କାନ୍ଦ ବୋବାଳି ଘରସାରା ଫାଟିପଡୁଥିଲା
ବାପା -ବାପା-ବାପା..............
ବାପା ଶୋଇଯାଇଥିଲେ ଚିର ନିଦ୍ରାରେ
ନଥିଲା ଯନ୍ତ୍ରଣା ନଥିଲା ଅସହାୟତା
ଥିଲା ଯାହା ମୁଠା ମୁଠା ଛଳନା,ପ୍ରତାରଣା
ହାତ ଦୁଇଟା ଝୁଲୁଥିଲା ଶୂନ୍ୟରେ
ବାପାଙ୍କ କୋକେଇ ମାଡିଚାଲିଥିଲା ଆଗକୁ
ଶୁଭୁଥିଲା ଚଉଦିଗ 'ରାମ୍ ନାମ୍ ସତ୍ୟ ହେ' ,
'ରାମ୍ ନାମ୍ ସତ୍ୟ ହେ' ।।
====================
ଶରତ କୁମାର ଦାସ, ବଡବିଲ ମହାବିଦ୍ୟାଳୟ, ବଡବିଲ ।