ଶାରଦୀୟ ସନ୍ଧ୍ୟା
ଶାରଦୀୟ ସନ୍ଧ୍ୟା
ଦୂର ଦିଗ୍ବଳୟେ ଅସ୍ତାଚଳେ
ଲୁଚିଗଲେ ଦିନ ଅଭିନୟ ସାରି ଦିନମଣି I
କଲାମେଘୀ ପାଟ ପିନ୍ଧି
ଧରଣୀ ବୁକୁରେ ଧୀରେ ପାଦ ଥାପି
ଓହ୍ଲାଇ ଆସିଲେ ସନ୍ଧ୍ୟାରାଣୀ II ୧ II
ମଥାରେ ଝଲକେ ତାଙ୍କ
ସିନ୍ଦୁରବିନ୍ଦୁ ସମ ପୂର୍ଣ୍ଣମୀର ଇନ୍ଦୁ I
ସେ ବିନ୍ଦୁର ଦୁଇ ପାର୍ଶ୍ୱେ
ତାରାଫୁଲ ଯେତେ
ଫୁଟି ଚମକନ୍ତି ସତେ ଅବା
ଟୋପି ଚନ୍ଦନର ବିନ୍ଦୁ II ୨ II
ମନ୍ଦିରରୁ ସନ୍ଧ୍ୟା ଆରତିର
ଘଣ୍ଟ ଘଣ୍ଟା ଧ୍ୱନି ଆସୁଥିଲା ଭାସି I
ଗ୍ରାମ୍ୟ ବଧୂ ଚଉରା ମୂଳରେ
ସନ୍ଧ୍ୟା ଦୀପ ଜାଳି
ଶୁଭ ମନାସଇ ବସି II ୩ II
ଶାରଦୀୟ ସାନ୍ଧ୍ୟ ଆକାଶର ଶୋଭା
ମନେ ଭରି ଦେଉଥିଲା
କେତେ ଯେ ପୁଲକ I
ଗାଁ ଦାଣ୍ଡେ ପିଲାମାନେ କରୁଥିଲେ
କେତେ କ୍ରୀଡା କଉତୁକ II ୪ II
ଗାଁ ଦାଣ୍ଡେ ପିଣ୍ଢା ପରେ ବସି ବୁଢା ଅଜା,
ଗରମ ଚା’ର ମଜ୍ଜା ନେଉଥିଲେ
ପକାଇ ଚାଉଳ ଭଜା II ୫ II
ସାଙ୍ଗ ସାଥୀ ତାଙ୍କ ଆସି ପହଞ୍ଚନ୍ତି
ସାଇ ପଡିଶାରୁ ଧୀରେ I
ଆଲୋଚନା ଚାଲେ ଚାଷବାସ
ଆଉ ପାଣି ପାଗ ବିଷୟରେ II ୬ II