ନୂଆବର୍ଷର ମହକ
ନୂଆବର୍ଷର ମହକ
ନୂଆବର୍ଷ !
ତୁମେ କେତେ ରୋମାଂଚିତ ସତେ !
କେତେ ରୋମାଞ୍ଚକର ତୁମର ସେ ସ୍ନିଗ୍ଧ ଶିହରଣ
ତୁମେ ଆସିଲେ ବଦଳିଯାଏ ଋତୁ
ବଦଳିଯାଏ ଦିନ-ମାସ-ବର୍ଷ
ତିଥି, ବାର ଓ ନକ୍ଷତ୍ର
ବଦଳିଯାଏ ବୟସର ରଂଗ
ବଦଳିଯାଏ ଚେତନା ର ସବୁଜ ଆସ୍ତରଣ
ସମ୍ପର୍କର ଅନାବନା ଗଛ
କିଛି କିଛି ନୂଆ ଲାଗେ
ମନ ପ୍ରାଣ ଓ ଶରୀର
ଆଶାର କଅଁଳ କଢିଗୁଡିକ
ମୁକୁଳିଯାଆନ୍ତି ଶୂନ୍ୟ ରୁ ମହାଶୂନ୍ୟ କୁ
ମାଟି ଲାଗେ ପାର୍ବଣ ପାର୍ବଣ
ଚିରାଚରିତ ଗତାନୁଗତିକ ଜୀବନର
ସରଳ ଗାଣିତିକ ସୂତ୍ର ବଦଳିଯାଏ କିଛି କ୍ଷଣ
ରୁକ୍ଷ ଆବେଗ ରେ ଭରା ସ୍ପନ୍ଦନ
ଅଟକି ଯାଏ କ୍ଷଣିକ
ନଈର ସ୍ରୋତ କୂଳ ଲଂଘନ କରେ
ପଲ୍ଲବିତ ହୁଏ ଲଣ୍ଡା ବରଗଛ
ବାସ୍ନାୟିତ ହୁଏ ଘାସ ଫୁଲ
ମାଟି ଅଗଣାର ସବୁଜ କୋଳରେ ।
ଅବଶ୍ୟ ଗତାନୁଗତିକ ତୁମ ଯାତ୍ରା ପଥରେ
ଫରକ ଲାଗେ କିଛିଟା
ତୁମ ରୂପ ରଂଗ ରସ
ସମୟର ଚକାଭଉଁରୀ ଖେଳରେ ।
ବେଳେ ବେଳେ ତୁମର ଅଶାନ୍ତ ଓ ଅପରିତୃପ୍ତ
ବନ୍ଧୁର ଗତିପଥ
ବେଦନାର ଆଗ୍ନେୟଗୀରି ରେ ଛଟପଟ
କଲବଲ କରୁଥାଏ ଖାଲି ।।
ନୂଆବର୍ଷ !
ତୁମ ଆଗମନରେ
ମନ ମୋ ହୁଏ ଆନମନା
ଅପର୍ଯ୍ୟାପ୍ତ ଅନ୍ୟମନସ୍କତାରେ
ଆଉଟୁ ପାଉଟୁ ହୁଏ ପ୍ରାଣ
କେତେ ଅନୁଚ୍ଚାରିତ ଶବ୍ଦମାନଙ୍କ ଘେରରେ
ବନ୍ଦୀ ହୁଏ ମୋ ବିପର୍ଯ୍ୟସ୍ତ ପୌରୁଷ ର
ଭଙ୍ଗୁର ଇତିହାସ ।
ଏବେ ତମକୁ ତ ହାତ ପାତି କିଛି
ମାଗିବାରେ ଅଭିଳାଷ ନାହିଁ
ନାହିଁ କିଛି ଅଭିମାନ ଅବା ଅଭିଯୋଗ
ଚିତ୍ର ସବୁ ଅଧାଗଢା ଦାରୁବ୍ରହ୍ମ
ସ୍ବପ୍ନ ସବୁ ପିଂଜରାବଦ୍ଧ ,ନିର୍ବାକ
ଅସହନୀୟ ନୀରବତା ର ଅଟ୍ଟହାସ୍ୟ
ପ୍ରତାରଣା ର ମଖମଲି ପ୍ରତିଧ୍ବନି
କଳାମେଘ ତଳେ
ନକ୍ଷତ୍ରମାନଙ୍କ ଯାହା ରଣ ହୁଙ୍କାର ।।
ଶୂନ୍ୟ ହୃଦୟରେ ଘୂରିବୁଲୁଥିବା
ଏକ ନିର୍ଜୀବ ଚିତ୍ରପଟ ମୁଁ
ବେଳ ଆସି ଉଛୁର ହେଲାଣି
କୋହଲା ପାଗର ସ୍ପର୍ଦ୍ଧିତ ପ୍ରବେଶ
ସ୍ପଷ୍ଟ ଦୃଶ୍ୟମାନ
ଚିକ୍ ମିକ୍ ଡାହାଣିଆ ଖରା
ପାରାମାନେ ଉଡିଲେଣି ଫର୍ ଫର୍
ଏବେ ତ ବାହୁଡିବାର ବେଳ
ଶୂନ୍ୟ ରେ ଦୋହଲୁଥିବା
ଅଦୃଶ୍ୟ ନୀଡକୁ ।।
ଶରତ କୁମାର ଦାସ