Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଉଥରେ ଭେଟିବାକୁ
ଆଉଥରେ ଭେଟିବାକୁ
★★★★★

© Pramod Pradhan

Others

1 Minutes   19.5K    7


Content Ranking

ଆଉଥରେ ଭେଟିବାକୁ

 

ପ୍ରମୋଦ ପ୍ରଧାନ

 

ଢେର୍ ବାଟ ଚାଲିଲାଣି ପାଦ

ଇଚ୍ଛା ଅନିଚ୍ଛା ଭିତରେ,

ସାମ୍ନାରେ ଗୋଟେ ଥୁଣ୍ଟା ଗଛ,

ବସନ୍ତ ବାଣ୍ଟୁଛି ତଣ୍ଟିପୋଡ଼ା ଶୋଷ,

ସତେ ଯେମିତି କାହାକୁ ହାତଠାରି ଡାକୁଛି

ମରୀଚିକାର ସମୁଦ୍ର !

 

କୃଷ୍ଣଚୂଡ଼ା ବି ହସୁଛି ତା ଦମ୍ଭରେ,

ମେଲେଇଦେଇଛି ଦୁଇ ହାତକୁ,

ପାପୁଲିରୁ ଝରିପଡୁଛି ମାଟିକୁ ଥପ୍-ଥପ୍ ରକ୍ତ,

ଶୋଷ ମେଣ୍ଟଉଛି ମାଟି,

ଗୋଟେ ଜରାଜୀର୍ଣ୍ଣ ଆସ୍ତରଣରେ

ମାଟି ବି ରକ୍ତବର୍ଣ୍ଣା ।

 

ବର୍ଣ୍ଣବୋଧର ବିଷର୍ଣ୍ଣ କାହାଣୀ ଭଳି

ଭେଳିକି ଲଗା ସମ୍ପର୍କର ଚାହାଣିସବୁ,

ନିଦାଘରେ ଶୁଖେଇଦିଏ

ତା’ର ଅନ୍ତରଙ୍ଗ ଅନ୍ତର,

ଆଉ ଝାଞ୍ଜି ପବନ ଲହରିରେ

ରାଗିଣୀ ତୋଳେ,

ଗୋଟେ ବେସୁରା ତାର ।

 

ଲାଲ୍ ଆକାଶ ତଳେ

ଖଣ୍ଡିଉଡ଼ା ଦିଏ ପରଛିଣ୍ଡା ଗେଣ୍ଡାଳିଆ,

ଭୋକର ଭାଳେଣିକୁ ସମାହିତ କରିବାକୁ

ବସନ୍ତର ମାଦଳ ନୃତ୍ୟରେ,

ତଥାପି ତାକୁ ଉଡ଼ିବାକୁ ହୁଏ ଅନେକ ଦୂର ।

 

ଏମିତି ତ ଅନେକ କିଛି ଘଟେ

ଘୋର ଅରଣ୍ୟରେ

ମଲାଘାସ ଗାଲିଚାରେ

ସମୟର ବାଟ ଲମ୍ବିଯାଏ,

କ୍ଷଣଭଙ୍ଗୁର କାହା ପାଦଚିହ୍ନକୁ

ବିବର୍ଣ୍ଣ ବସନ୍ତର ଅକ୍ଷାଂଶ ଦ୍ରାଘିମାରେ

ଆଉଥରେ ଭେଟିବାକୁ ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****

ଆଉଥରେ ଭେଟିବାକୁ

Rate the content


Originality
Flow
Language
Cover design

Comments

Post


Some text some message..