ଇନ୍ଦ୍ରାବତୀର ତୀରେ
ଇନ୍ଦ୍ରାବତୀର ତୀରେ
କିଏ ଜାଣେ କେବେ କେଉଁ
ପୂର୍ବଜ ମୋହର
ଆସିଥିଲେ ତୋ କୂଳର
ଉର୍ବର ଜମିକୁ
ଜୀବନ ଜୀବିକା ପାଇଁ
ରହିଗଲେ ବସିଗଲେ
ତୋହର ହିଁ ହୋଇ।
ସେହି ଦିନୁ କେତେ ପୀଢି
ତୋ ଦେହରେ ଗଲେଣି ଯେ ବହି
ଜୁଇର ପାଉଁଶ ଓ ଚିତାଭସ୍ମ ହୋଇ
ତ୍ୟାଗ, ପ୍ରେମ, ବୀରତ୍ଵର
ଗାଥା ଗଉରବ
କେତେ ବୀର
ଧୁରନ୍ଧର ପୁରୁଷ ପୁଙ୍ଗବ l
କେଉଁ କାଳୁ କେତେ ନାରୀ
ମୋ'ମା' ଓ ଅନେକ ତା'ପରି
ମମତାର ମଧୁସିକ୍ତା
ମାଟିର ଇଶ୍ଵରୀ
ତୋ'ଶୀତଳ ଜଳଧିରେ
ଲଭିଛନ୍ତି ମୋକ୍ଷ
କରିଛନ୍ତି ଜୀବନକୁ ଚରିତାର୍ଥ
ଲଙ୍ଘିଛନ୍ତି ବୈତରଣୀ ତୀର୍ଥ।
ସେମାନଙ୍କ ମୁହଁ ଦିଶେ
ତୋ'ବକ୍ଷର ଜଳ ଦର୍ପଣରେ
ସେମାନଙ୍କ ଟୁପ୍ ଟାପ୍ କଥା ଶୁଭେ
ଆଷାଢ଼ର ବଢିଲା ସୁଅରେ।
ସେହି ନାରୀଙ୍କର ଅକୁହା
ମନ ଗହନର କଥା
ଜୀବନ ଜଂଜାଳ ଗାଥା
ବିଷାଦ ହରଷ
ଅଜସ୍ର ଦେହ ନିଗିଡା ସ୍ଵେଦ ଅଶ୍ରୁ
ରକ୍ତ ରଜଃ ପ୍ରାଣର ନିର୍ଯ୍ୟାସ
ତୋ'ଜଳେ ଉଜେଇଁ ଯାଇ
ପାଲଟିଛି ଅମୃତ କଳସ।
କେତେ ରଙ୍ଗ କାୟା ତୋର
ସନ୍ଧ୍ୟାର ଅଧରରେ ମୃଦୁ ହସ
ପ୍ରାତଃ କାଳେ ପ୍ରଶାନ୍ତିର
ଅଲୌକିକ ସୌଭାଗ୍ୟ ବିଳାସ
ରାକାରେ ବିମୁକ୍ତ ବିଧୌତ ଜ୍ୟୋସ୍ନା
କୁହୁକିନୀ ଅମା ଅନ୍ଧାରରେ
ଉଦାସ ବିରସ।
ଜାଣେନା ମୁଁ କେଉଁ କାଳେ
ଉଦ୍ଗମ ତୋହର
ବକ୍ଷେ ଧରି ମାନବ ସଭ୍ୟତାର
ଅକ୍ଷୟ ସ୍ବାକ୍ଷର
ସେ କାଳୁ ପ୍ରବହମାନା
ଚିରସ୍ରୋତା ଗଙ୍ଗା ସିନ୍ଧୁ
ଝଂଜାବତୀ ସତୀ
ମୋ ନିଜର ଇନ୍ଦ୍ରାବତୀ ।
ଆରାଧ୍ୟା ସୁନ୍ଦରୀ ସ୍ରୋତସ୍ବିନୀ
କେଉଁଠାରେ କୃଶ ପୁଣି
କେଉଁଠି ବିସ୍ତୃତ
ସର୍ବଂସହା ସଲୀଳା ତୁ
ଶ୍ରୀଧରା ଅମୃତ ।
ଆତ୍ମଦାନେ ଅନୁବ୍ରତା
ପୁଣ୍ୟତୋୟା ସରିତ ।
କୃପା ଜଳ ସିଂଚିଦିଅ ମା'
ମୋର ସୁସୁପ୍ତିରେ ଅବା ଜାଗୃତିରେ
ଅବିରତ ଆକୁଳ ମୁଁ ହେଉଥିବି
ମୋ ହୃଦୟେ ସୁପ୍ତ ଥିବା
ଆଲୋକିତ ପଙ୍କ୍ତି ସନ୍ଧାନରେ
ତୋ'କୋଳରେ ପଶୁଥିବି
ବାରମ୍ବାର ଶବଦର ମାୟାରେ ।
ପୋହଳା ଦ୍ବୀପର କେଉଁ
ଭୁଲ ଭୁଲୈୟାରେ ।
ତୋ ଦେହର ମୀନ ମଗରାଦି ଜଳଚର
କୌତୁକରେ ମଜ୍ଜି
ପଶିଯାଉଥିବା ପରି କେଉଁ
ପଥର ଖୋଲ ଓ
ପାତାଳ ପଙ୍କରେ।
ଜନ୍ମିଥିଲି ତୋ କୋଳରେ
ମୁଁ ରହିଥିବି ତୋହର ଶରଣେ
ମୃତ୍ୟୁ ମାଗେ ତୋ'ରି ପାଦେ
ହାରିବିନି ଜୀବନେ ମରଣେ।
*****
ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ.