ଅତଏବ
ଅତଏବ
ପ୍ରତାପ ନାୟକ
7008054282
ସୁନ୍ଦର କମକୂଟକରା ଦୂଆରବନ୍ଧ
ଦାଣ୍ଡ ଧୂଳିରୁ ମହମହ ଭାସି ଆସେ ଗୋବରର ଗନ୍ଧ
ପୁଣି ସେଥିରେ ଲିପାପୋଛାରେ ଅଂକାବଂକା ଚିତ୍ରିତ ପର୍ବତ
ଯୋଉ ଅଗଣାରେ ବୋଉର ଉହ୍ମେଇ ହାଣ୍ଡି
ତା ତଳୁ ଦିକଦିକ ନିଆଁଜଳେ ଗୋବରଘଷିରୁ
ଧୂମୀଳ କୁଣ୍ଡଳିର ରଡନିଆଁ
ନାଲି କରେ ଦୁଧବଢାର ଅମୃତ ସଜ୍ଜ୍ୟାକୁ
ପାଞ୍ଚଣ ଖୋସନ୍ତି ବାପା ଚାଳର ସନ୍ଧିରେ
ମୁଁ ତାଙ୍କ ଝାଳୁଆ ପିଠିରେ ତେଲ ଘସିଦିଏ
ଯେମିତି ବୋଳି ହୁଅନ୍ତି ମଳି ଯାକ ବଳାବଳା ହେଇ
ମୋ ହାତ ପାପୁଲିରେ
ବୈଠକ ଉପରେ ଡିବି ଜଳେ
ଭାଗବତର ସରୁସରୁ ପଦ
ବାପାଙ୍କ ଗୁରୁଗମ୍ଭୀର ସ୍ୱରରେ
ଅନ୍ଧାରକୁ ଭେଦିଭେଦି ଯାଏ
ଦିଦିର ଗୋଡରେ ଲଣ୍ଠନ ଚିଆଁ ମୁଁ ଲଗାଏ
ଢୋଳେଇ ପଡେ ଯେବେ
ସେ ଖୋଲାବହି ପରେ
ଗେଂଜି ହେଇ କନ୍ଥା ତଳେ
ବୋଉ ଉପରେ ରାଗଶୁଝାଏ
ଗୋଡପରେ ଗୋଡ ଛନ୍ଦେ
କାନ୍ଦେ ପୁଣି ବୋଉ ମୁହଁ ଯେବେ
ଦିଦି ପଟେ କରେ
ଖଟ ଉପରୁ ବାପା
ବୋଉକୁ କଣ କୁହନ୍ତି
କୋଉ ଜମିରେ ଗାର ମରା ହେଇନି
ଛାଆଁଣି ଏସନ କଷ୍ଟ ହେବ
ବଢିଛି ମୂଲିଆ ମଜୁରୀ
ଏମିତି ହେଲେ ଘର କେମିତି ଚଳିବଯେ
ମୁଁ ବୁଝିପାରେ ନା
ଚଳିବାର ଅର୍ଥକୁ ମାଜିହୁଏ ମନେ ମନେ
ବୋଉ ଡାକରେ ନିଦ ଭାଙ୍ଗେ
ସେତେବେଳକୁ
ଗୁହାଳେ ନା ଥାଅାନ୍ତି କାଳିଆ କସରା
ନା ବାଡିପଟେ ନଙ୍ଗଳ ଜୁଆଳି
ନା ଚାଳରୁ ମୁହଁ ଦେଖୋଉଥିବା ପାଞ୍ଚଣ
ବୁଝିଯାଏ ମୁଁ କାଲି ରାତିର ଘରଚଳା କଥା
ସାହାଯ୍ୟ କରନ୍ତି ସେମାନେ ପରା
ଘର ଚଳିବାରେ
ବାପାଙ୍କ ଖଟରେ ମୁଁ ଶୋଉଛି
ତଳେ ସୁର ମା ଯୋଉଠି ଗଡେ
ଲଙ୍ଗଳା ପିଠିରେ
ଓରାକୁ ଚାହେଁ
ବାପାଙ୍କ କଥା ଭାସିଆସେ କୋଉ ଅନ୍ଧାର ସନ୍ଧିରୁ
ହସିଦିଏ
ଅତଏବ
ଘର ଚଳା ମନ୍ତ୍ରକୁ
ମୁଁ ଆୟତ କରିସିରିଥାଏ
ଅନେକ ଦିନରୁ