ରାତି
ରାତି
ଏ ରାତି ଆସେ
ମୋ ପବନା ପେଟର ଭୋକ ହେଇ
ମୋ ରଜନୀ ବୋଉର ଲୁହ ହେଇ
ମୋ ଗେହ୍ଲେଇ ଝିଅର ଅଭିମାନ ହେଇ ।
ସେ ଯେବେ ବି ଆସେ
ପ୍ରତି ଥର ପରି ଘୋଷଣା କରେ
ମୋ ବିରୁଦ୍ଧରେ ଶୀତଲ ଯୁଦ୍ଧ
ଆଉ ମୁଁ ,
ମୋ ଭିତର ସବୁ ଦୁର୍ବଳତାକୁ
ଛାତି ଭିତର କେଉଁ ଗୋଟେ କୋଣରେ
କବର ଦେଇ
ଏକାଙ୍ଗ ଚକ୍ରବର୍ତ୍ତୀ ପରିକା
ଲଢିବାକୁ ଲମ୍ଫ ଦିଏ
ଏଇ ହାଡୁଆ ଛାତିର
ପୁଳାଏ ସାହସର ସାହାରାରେ ।
ସେମିତି ରାତିଟା ବଢି ଚାଲେ
ଝିଙ୍କାରିର ଶବ୍ଦ ସାଥିରେ
ସେ ଆହୁରି ଗହନରୁ ଗହନ ହୁଏ
ମୁଁ ସାହସ ବାନ୍ଧେ
ସବୁଥର ପରି ଏ ଥରକ ବି
ତାକୁ ଟାଳି ଦେବାର ପ୍ରଚେଷ୍ଟାରେ
ତୋରାଣୀକୁ ଖାଇବା କରି ପେ’ଇ ଦିଏ
ନିଜ ହାତରେ ଲୁହ ସବୁ ପୋଛି ଦିଏ
ଗେହ୍ଲେଇ ଝିଅର ଅଭିମାନକୁ
ରାତିକ ପାଇଁ ମନେଇ ନିଏ
ମିଛ ପ୍ରତିଶ୍ରୁତିର ଆଳରେ ।
ପ୍ରତି ଥର ଯେବେ ଏ ରାତି ଆସେ
ମୁଁ ଲଢିଥାଏ
ଠିକ୍ ଏମିତି କେତେଗୁଡାଏ
ଭୋକ, ଲୁହ ଆଉ ଅଭିମାନ ସାଥିରେ ।