ମୋ ଗାଆଁ
ମୋ ଗାଆଁ
କେତେ ତପୋ ବଳେ କେତେ ପୂଣ୍ୟବଳେ ମୋ ଗାଆଁରେ ହେଲି ଜନ୍ମମାଟି ନୁହଁ ସେ ତ ସରଗ ପୁରୀ ମୋ ରଖିବି ତାହାରି ନାମ॥ ସପନ ରାଇଜ ସଜ ଫରୁଆରୁ ସେନେହ ମମତା ଆଣି ମୋ ଦେହରେ ବୋଳି ହସର ମହକେ ଆନନ୍ଦ ଦିଏ ସେ ବୁଣି॥
ତା ବଣ ବୁଦାରୁ କୋଳି ଯେବେ ତୋଳେ ଦିଏ ସେ ମୁରୁକି ହସା ତା ସମୀର ଯେବେ ମୋ ଗାଲ ଛୁଅଁଇ ପୁରି ଉଠେ ମୋର ହଂସା॥
ତା ଛାତିରେ ଯେବେ ପାଦ ଦେଇ ଖେଳେ ଉଡାଇ ତା ଧୂଳି ବାଲି ହୃଦୟ ଚହଟେ ତା ମିଠା ଛୁଆଁରେ ଆନନ୍ଦେ ମାରେ ମୁଁ ତାଳି॥
ମୋ ଗ୍ରାମ ଦେବତୀ ଗାଁ ମୁଣ୍ଡେ ରହି ଚାତକ ପରାୟେ ଚାହିଁ ଯିବା ଆସିବାରେ ଆଶିଷ ଢାଳନ୍ତି ମଙ୍ଗଳ ସଫଳ ପାଇଁ॥
ମୋ ଗାଆଁର ଗୁରୁ,ଗୁରୁଜନ ପାଦେ ନୂଆଁଏ ଯେବେ ମୁଁ ମଥା ମୁଣ୍ଡକୁ ଆଉଁସି ଆଶୀର୍ବାଦ ଦ୍ୟନ୍ତି ଲିଭିଯାଏ ସବୁ ବ୍ୟଥା॥
ସାଥୀ ସହୋଦର ନିଜଠୁ ନିଜର ରୋଗ ପାଇଁ ଯେହ୍ନେ ପଥି ବିପଦେ ଆପଦେ ସହାୟ ହୁଅନ୍ତି ଜଳାଇ ପ୍ରେମର ବତୀ॥
ମେଳା ମଉଛବ ଯେତେ ଯେ ପରବେ ଟାଣେ ସେ ଅନ୍ତର ପ୍ରେମେ ସଂସ୍କୃତିର ତାଳେ ପରମ୍ପରା ମାନି ମଜ୍ଜିଯାଉ ତା'ର ନାମେ॥ ମୋ ଗାଆଁର ଲୋକ ହୃଦୟେ ଅମୀର କରମେ ନୁହଁ ଫକୀର ଶସ୍ୟ ସମ୍ପଦରେ ଗାଆଁକୁ ଭରନ୍ତି ସତେ ମୁକ୍ତା ପାରାବାର॥
ତା'ର ଶିକ୍ଷା ଦୀକ୍ଷା ପୁସ୍ତକେ ନ ଥାଏ ଥାଏ ଜୀବନ ସ୍ପନ୍ଦନେ ହିଂସା ସମରକୁ ରାମରାଜ୍ୟେ ଗଢେ ଟିକେ ମମତା ବନ୍ଧନେ॥ ମୋ ଦୁଃଖ ଯନ୍ତ୍ରଣା ଆଖିର ଲୋତକ କାନ୍ଦି କାନ୍ଦି ଦିଏ ପୋଛି ସଂଗ୍ରାମ ଶିଖାଇ ଜୀବନ ଗଢାଏ ତା ସରି କିଏ ସେ ଅଛି?
ସରଳ ନିରୀହ ମଧୁର ବଚନ ଶିଖାଏ ସେ ଶିଷ୍ଟାଚାର ଗୁରୁ ଗୁରୁଜନ ଅତିଥି ଈଶ୍ୱରେ ନମିବା ଦିଏ ସଂସ୍କାର॥
ତା ଧୂଳି ବାଜିଲେ ମଥାରେ ମୋହର ଲାଗେ ଯେ ବାସ ଚନ୍ଦନ ସେ ଛୁଆଁ ଅନ୍ତର ଶିହରାଇ କହେ ରଖ ଦେଶ ଜାତି ମାନ॥
ଆନନ୍ଦ ଅଶ୍ରୁକୁ ବିଗଳିତ କରି ଯେବେ ବିଦେଶ ପଠାଏ ତା ସ୍ମୃତିକୁ ଭାଳି କୋହ ଚାପି ଚାପି ତାକୁ ସଦା ଝୁରୁଥାଏ॥
ତା କଥା ଶୁଣିଲେ ମନ ଭରିଯାଏ ଯେତେ ଦୂରେ ଅବା ରହି ତା କୋଳେ ଜନମ ହୁଏ ବାରମ୍ବାର ଆତ୍ମା ସଦା କହୁଥାଇ॥
ଜନନୀ ଜନମ ମାଟି ପ୍ରାଣ ମୋର ସବୁଠୁ ପ୍ରିୟ ମୋ ଗାଆଁ ଜନ୍ମ ଜନ୍ମାନ୍ତରେ ମନେ ରଖିଥିବି ମୁଁ ତା ଗେହ୍ଲ, ସେ ମୋ ମାଆ ॥
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା,ଜିଲ୍ଲା-କେନ୍ଦୁଝର,ପିନ୍-୭୫୮୦୨୨