କଥା ଓ ବ୍ୟଥା
କଥା ଓ ବ୍ୟଥା
ଓଡ଼ିଆ ଭାଷାର ଛନ୍ଦ ଅଳଙ୍କାର
ଉପମା ଭୂଷିତ କରି,
ଲେଖିଲି ଯେତେକ କବିତାକୁ ଦେଖ
ହେଲିନାହିଁ ଆନ ସରି ।
ପାଠକେ ଆଜିର ସରଳ ସୁନ୍ଦର
ସାବଲୀଳ ମିଠା ଗୀତ,
ଅଧିକେ ପସନ୍ଦ କରନ୍ତେ ଆନନ୍ଦ
ଜାଣି ସାରିଲିଣି ମିତ ।
ତଥାପି ଦୂରୁହ ଅନୁପ୍ରାସ ମୋହ
ହୃଦୟରୁ ଛାଡୁ ନାହିଁ,
ବୁଝେନି ସତରେ ସରଳ ଲେଖାରେ
ବାହାଦୁରି ଅଛି କାହିଁ !
ଭାବନାହିଁ ଅତି ଭାବକୁ ସାଇତି
ଲେଖିବାର ନାହିଁ ଜଣା,
ଭାବ ଧରୁ ଧରୁ ପିଲାଟି ଦିନରୁ
ଭାବି ସିନା ଏତେ ବଣା ।
ପାଇଛି ପରଶ ଯେତେ ଅଛି ରସ
ଦେଖିଛି ନିକଟେ ଅତି,
କବି ପଦେ ଯାଇ ଗଣା ହେବା ପାଇଁ
ବଳାଇ ନାହିଁ ମୋ ମତି ।
ଓଡ଼ିଆ ମୋ ଭାଷା ଉଚ୍ଚ ଶିକ୍ଷା ଆଶା
ପୂରଣ ହୋଇନି ବୋଲି,
ଭାଷା ଅନୁରାଗ ଊଣା ନାହିଁ ଆଗ
କହି ଦେଉଅଛି ଖୋଲି ।
ମନେ ଭରି ଦମ୍ଭ କରିଲି ଆରମ୍ଭ
କବିତା ଲେଖିବା କଥା,
ଦେଖାଇଲେ ପଥ ବନ୍ଧୁ ଯେ ସତତ
ଝୁଙ୍କାଉଥିବି ଏ ମଥା ।
ସ୍ନେହ ଶ୍ରଦ୍ଧା ବୋଳି ଆଶୀର୍ବାଦ ଢାଳି
ଦେଲେ ଯେଉଁ ଗୁରୁଜନ,
ସେମାନଙ୍କ ପାଇଁ ଚିରଋଣୀ ହୋଇ
ଭକ୍ତିପୂତ ଥିବ ମନ ।
ପାଠକ ପାଠିକା ଦୋଷ ଥିଲେ ଏକା
କରିବ ହେ କ୍ଷମା ଦାନ,
ସମୟ ଅଭାବେ ଊଣା ଥିଲେ କେବେ
ନ କରିବ ହୀନିମାନ ।
ଭଞ୍ଜ ଜୟଦେବ କୃଷ୍ଣ ବଳଦେବ
ଆଦିଙ୍କ ପୟର ତଳେ,
କୃପା କଲେ ବାଣୀ ଚାଲିବ ଲେଖନୀ
ଭାବକୁ ସଜାଇ ବଳେ ।
ପ୍ରସନ୍ନ କୁମାର ମାଦଳା