ମାତାର ଦୁଃଖ
ମାତାର ଦୁଃଖ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଜୀବନର ଆନନ୍ଦରେ ଉନ୍ମତ୍ତ ସର୍ବ ନାରୀନର,
ଆନନ୍ଦ ଯା' ଯାତନାର ମାତ୍ର ତ୍ୱକ୍-ମଧୁ ଆବରଣ -
ସ୍ୱପ୍ନର ପ୍ରତୀତି ପରି ଏ ଜୀବନ-ସମ୍ଭୋଗ ଚଞ୍ଚଳ
ପଳାୟିତ ଭୋଗ ପାଇଁ ରଣାକୀର୍ଣ୍ଣ ଧରାର ପ୍ରାଙ୍ଗଣ ।
ଧରାବାୟୁ ଧୂମାକୁଳ ଦ୍ୱେଷ,ଈର୍ଷା, ଦ୍ବନ୍ଦ୍ଵ, ଛଳନାରେ
ସିନ୍ଧୁ-ମତ୍ସ୍ୟ ସମ ସର୍ବେ ଜୀବନର ଲବଣ-ସଲିଳେ,
ତୁଷ୍ଟ,ମୁଗ୍ଧ,ଈର୍ଷାନ୍ବିତ,ଦ୍ବନ୍ଦ୍ଵ-କ୍ଷିପ୍ତ ତାକୁ ଭୋଗିବାରେ,
ଜୀବନାଭିଭୂତ ସର୍ବେ,କେ ପଚାରେ ଜୀବ-ଜନନୀରେ ।
ଏ କାଳେ ଜନନୀ ଆସି କେଉଁ ଭାଗ୍ୟଧରର କୁଟୀରେ
ନେତ୍ରୁ ତାର ନୀର ପୋଛି ପଚାରନ୍ତି ପରମ କଲ୍ୟାଣେ,
"ହାତଭାଗ୍ୟ,ଦିନେ ହେଲେ ସ୍ମରିଲୁନି ଏଇ ଦୁଃଖିନୀରେ
'ମାଆ' ଡାକ ଶୁଣିବାକୁ ଅଛି ପରା ଅତନ୍ଦ୍ରିତ ଧ୍ୟାନେ ?"
ରବିଜାତ ମେଘ ଯେହ୍ନେ ରବି-ବିମ୍ବ କରେ ଆଚ୍ଛାଦନ,
ଜୀବ,ଜୀବମାତା ମଧ୍ୟେ ବ୍ୟବଧାନ ବାଢ଼ିଛି ଜୀବନ ।
ସମାପ୍ତ