ଦୃଷ୍ଟି କୋଣ
ଦୃଷ୍ଟି କୋଣ
ଦୁଇ ଦିନିଆ ତୋ ମଣିଷ ଜୀବନ
ବୃଥା କରୁ ଅହଙ୍କାର ।
ମୋର ମୋର ବୋଲି ଗର୍ବ କରିଥାଉ
କରୁଛୁ ମିଛ ଫୁତ୍କାର ।
ଯାହା ତୁ ଭାବୁଛୁ ମୋର ମୋର ବୋଲି
ସେଇଟି ନୁହେଁ ତୋହର ।
ଦିବ୍ୟ ନୟନରେ ଦେଖିଯାଅ ଥରେ
ଅଟଇ ସିଏ କାହାର ?
ରିକ୍ତ ହସ୍ତ ରେ ତୁ ଆସିଛୁ ଧରାକୁ
ରିକ୍ତ ହସ୍ତେ ଯିବୁ ଚାଲି ।
ଯାହାକୁ ଭାବୁଛୁ ଆତ୍ମୀୟ ସ୍ବଜନ
ସିଏ ଭୁଲିଯିବେ କାଲି ।
ପାଇଛୁ ଦୁର୍ଲଭ ମଣିଷ ଜନମ
ରଖିଥା ମନରେ ସଦା ।
ପଶୁଙ୍କ ଭଳି ତୁ କର୍ମେ ନ ମାତିଣ
କୁକର୍ମକୁ କର ବିଦା ।
ଲୋଭ ମୋହ ମାୟା ପରିତ୍ୟାଗ କରି
ସତ୍ୟ ପଥେ ସଦା ଚାଲ ।
ଈର୍ଷା ଅହଙ୍କାର ହିଂସା କ୍ରୋଧ ମିଥ୍ଯା
ଉତ୍ପାଟନ କର ମୂଳ ।
ପର ଉପକାରେ ସଦା ରହୁ ମନ
ରହୁ ମନ ସାଧୁ କତି ।
ବିଶ୍ବ ବ୍ରହ୍ମାଣ୍ଡରେ ଆଧିପତ୍ଯ ରହୁ
ମିଳିବ ମୋକ୍ଷ ମୁକତି ।
ବିନୟ ଭାବନା ଆଭୂଷଣ ହେଉ
ଭାଷା ହେଉ ମଧୁ ସମ।
ସ୍ମରଣ କରିବ ବିଶ୍ବର ଜନତା
ଯେବେ ନେବ କାଳ ଯମ।