ତୁମେ ଛାଡ଼ି ଗଲେ
ତୁମେ ଛାଡ଼ି ଗଲେ
ତୁମେ ଛାଡ଼ି ଗଲେ
ଦୀର୍ଘ -- ଜୀବନ ପଥ:
ସାଙ୍ଗେ -- ଥାଅ ମୋ ମିତ ;
ଯେତେ ଆଗେଇଲେ ଚାଲିବାକୁ ଅଛି
ଆହୁରି ବାକି,
ପାଦ -- ଯାଉଛି ଥକି,
ଏକା -- ଚାଲି ହେବ କି ?
.
.
ଏଣୁ -- ବିଧାତା ଦେଇଛି ଯୋଡି,
ଥିବା -- ତା କୃପା ସାଗରେ ବୁଡି;
ତା' ପରେ ଭରସା ଥିଲେ ଏକା ଆଶା
ହେବ ପୂରଣ,
ତାକୁ -- କରି ଶରଣ,
ଯିବା -- ତା ପୁଣ୍ୟ ଧାମ |
.
.
ମନେ -- ରଖି ବିଶ୍ଵାସ
ଆସ -- ସାଥିରେ ଆସ |
ସାଧନାରେ ବ୍ରତୀ ତୁମେ ମହା ସତୀ;
ମୁଁ ଯେ -- କରମବଶଃ;
ହେଲେ -- ଅଛି ସାହସ
ଦିନେ -- ତୁମରି ସଙ୍ଗରେ ତାହାରି ଅଙ୍ଗରେ
କରମ ବଳରେ ହେବି ପ୍ରବେଶ |
ଲୋଡା -- ତୁମ ପ୍ରେରଣା,
ସଙ୍ଗେ -- ସେ କରୁଣାନିଧି ତା କୃପାବାରିଧି-
ବିନ୍ଦୁମାତ୍ର ଦେଉ, ନ କରୁ ଊଣା |
.
.
ହେ ମୋ -- ପ୍ରାଣସଙ୍ଗିନି !
ସାଧ୍ଵୀ -- ହେ ତପସ୍ଵିନି !
ତୁମ -- ସାଧନାବଳେ
ମୋତେ -- ଛାଡ଼ି ଭୂତଳେ
ଆଗେ -- ପାଇ ମୁକତି
ଗଲେ -- ଶ୍ରୀହରି କତି
ଏତିକି ଗୁହାରି ପାରିବ ତ କରି,
କହିବ, ଏ ଥିଲା ଜୀବନସଖା,
ତାକୁ -- କରିବି ଦେଖା |
ହେଲେ -- ହେଉ ଅଧମ
ଥିଲା -- ମୋ ପ୍ରିୟତମ
ଏଣୁ କରୁଛି ଅଳି
ଶୁଣ -- ହେ ବନମାଳୀ !
ଘେନି ଆସ ତାକୁ ମୋର ନିକଟକୁ
ତୁମ -- ଶ୍ରୀପଦ ପାଶେ,
ଦିନ -- କଟୁ ହରଷେ |
ତୁମ -- ପରଶ ପାଇ
ସେ ନ -- ଯିବ ପଳାଇ
ତାକୁ -- ରଖିବି ଧରି
ରାଣ -- ନିୟମ କରି |
ଦେଉ -- ଅଛି ମୁଁ କଥା
ହେବ -- ନାହିଁ ଅନ୍ୟଥା |
ମୁଁ ଯେ -- ଆସିଲି ଚାଲି
ଏକା -- ଥିବ କି ଭଳି
ଥିବ -- ତା' ମନ ମାରି
ମୁଁ ତା -- ପ୍ରିୟପୁତ୍ତଳୀ
ଯେବେ -- ତା' ସଙ୍ଗେ ଥିଲି
କେତେ -- କରିଛୁ କଳି |
ଏବେ -- ଝୁରି ଝୁରିକା
ସିଏ -- ଥିବ ତ ଏକା |
ବସିଥିବ ଘରେ ଭୋକ ଉପାସରେ
ରୋଷେଇ କରେ ନା, ବଡ଼ ଅଳସ
ହେଲେ ହୃଦୟଟି ତାର ଅତି ସରସ |
ଲେଖୁଥିବ ଗୀତ, ଥରୁଥିବ ହାତ
ଉଜାଗରେ ରାତି ବିତାଉ ଥିବ
ଉଦରରେ ପଛେ ଦାନା ନ ଥିବ |
ହାତେ -- କଲମ ଧରି
କିଛି -- କାଗଜ ଚିରି
ଛିଣ୍ଡା -- ତା ଅଭିଧାନେ
ଲାଗି -- ଥିବ ସନ୍ଧାନେ
ଗୋଟି ଗୋଟି ଶବଦ,
ମନ ନ ହେଲେ ବୋଧ
ପାରୁ ନ ଥିବ ଶୋଇ;
ଶୋଇଯା ଶୋଇଯା କହିବାକୁ ଭାର୍ଯ୍ୟା
ମୁଁ ତ -- ତା ପାଶେ ନାହିଁ |
ଭୁଲି ଯିବାକୁ ମୋତେ
ବର୍ଷା ଶୀତ ବସନ୍ତେ
ବସି ବସି ଏକାନ୍ତେ
ଦୀର୍ଘ ନିଃଶବ୍ଦ ରାତେ
ଲେଖୁ ଥିବ କବିତା
ତାର -- ଦୀପ ସଳିତା
ଚାଲି -- ଥିବ ଜଳେଇ
ବଡ଼ -- ଅଝଟ ସେହି |
ତାର -- ଜୀବନ ଦୀପ
ତେଲ -- ଅଛି ଅଳପ,
ପୂରା -- ସରିବା ଯାକେ
ଯେଣୁ -- ନାହିଁ ମୁଁ ପାଖେ
ତାର -- କଲମ ଗାର
ଟାଣିବ ନିରନ୍ତର |
ଭାବି -- ପାରୁନି ସହି,
ଏଣୁ -- ସୁଦୟା ବହି
ତାକୁ -- ଆଣ ସହଳ
ପ୍ରଭୋ ! ଭକ୍ତବତ୍ସଳ |
ସେ ବି -- ତୁମ ଚରଣ
ତଳେ -- ଯିବ ଶରଣ
ତୁମେ -- ମାନ ନ ମାନ
ମୁଁ ତ -- ଜାଣେ ତା ମନ |
ତାର -- ଅଛି ଭକତି
ମାତ୍ର -- ଥିଲେ ଶକତି
ଘାଣ୍ଟି -- ଚକଟି ଗ୍ରନ୍ଥ
ଗଢ଼ୁ -- ଥିବ ସାହିତ୍ୟ |
ସବୁ -- ପୁରୁଣା ଶାସ୍ତ୍ର
ଯା'ର -- ନାହିଁ ଆଦର
ତାକୁ ବଞ୍ଚାଇବ, ଲାଗି ପଡ଼ିଥିବ,
କୁହେ -- ମଲେ ସାହିତ୍ୟ
ବେଦ-ନିଃସୃତ ବାକ୍ୟ
କେହି -- ବୁଝିବେ ନାହିଁ
ଧର୍ମ -- ଯିବ ପଳାଇ |
ହେଲେ -- ବୟସ ଗତେ
ସିଏ -- ପାରିବ କେତେ ?
ଘେନି ଆସ ତାକୁ ମୋହରି ପାଖକୁ
ଥରେ -- ଦିଅ ବିଶ୍ରାମ
କିଛି -- ଦିନ ଆରାମ
ପରେ -- ଚାହିଁଲେ ତୁମେ
ଜନ୍ମ-ମରଣ ଧାମେ
ପୁଣି -- ଦିଅ ପଠାଇ --
ଏକା -- ଛାଡ଼ିବ ନାହିଁ |
ମୁଁ ବି -- ଯିବି ତା ସାଥେ
ପୁଣି -- ସେହି ଜଗତେ |
ଏବେ -- ସୁଦୟା ବହି
ତାକୁ -- ଆଣ ଉଠାଇ |
କୃପା ସିନ୍ଧୁ ହେଇ ସବୁ ଜାଣୁ ଥାଇ
ନିଜେ ତୁମେ କିମ୍ପାଁ ଆଣୁନ ଡାକି ?
ତାର ହାତ ଧରିକି, କାନେ କାନେ କହିକି ?
ତୁମେ ଏଡ଼େ ନିରିଦୟ କାହିଁକି ?
ମୁଁ ଯେତେ ଡାକିଲେ ଡହଳେ ବିକଳେ
ମୋ କଥା ସିଏ କି ଶୁଣିବ ଭଲା ?
ଶାଶୁ କହୁଥିଲେ ପିଲାବେଳୁ ସିଏ
ସବୁଦିନେ ବଡ଼ ଅଝଟ ଥିଲା |
ସେ କି ଶୁଣିବା ପିଲା ?
ତୁମେ ନ ପାରିଲେ ଡାକି ତାହାକୁ,
କୁହ ଥରେ ସରସ୍ଵତୀ ମାତାଙ୍କୁ |
ନିଜେ ସେ କହେ -- ମୁଁ ବାଣୀନନ୍ଦନ
ଶାବ୍ଦୀ ମାତା ମୋର ପ୍ରାଣଜୀବନ |
ହେଲେ ହେଁ ଅବାଧ୍ୟ ବଦ୍ଦେବୀଙ୍କ ପାଦ
ତଳେ ସେ ଦେଇଛି ନିଜକୁ ସ୍ଥାନ,
ତାଙ୍କ ଆଜ୍ଞା ଅଧୀନ |
ବିଦ୍ୟାଦେବୀମାତା କହିଦେଲେ କଥା
ପଦଟିଏ ସେ ତ ଆସିବ ଫେରି
ତିଳେ ନ କରି ଡେରି;
ଗଣ୍ଠିଧନ ମୋତେ ମିଳିବ ମୋର
ଏକସାଥେ କଟିବ ଯୁଗାନ୍ତର |
ନୁହେଁ ସପ୍ତ ଉଦ୍ବାହ
ବନ୍ଧନ ଆମର ଏଡ଼ିକି ପବିତ୍ର
ଦୁହେଁ କଟାଇବୁ ସମୟ ଏକତ୍ର
ଯେତେଦିନ ଥିବ ସୃଷ୍ଟି-ପ୍ରବାହ,
ତାକୁ -- ଘେନି ଆସିବାକୁ କର ଉପାୟ |
ପ୍ରଭୋ ! ହେ ଦୟାମୟ !
ଲଲାଟେନ୍ଦୁ କବି (ବାଣୀପୁତ୍ର)
୨୨/୨୩ ଜାନୁୟାରୀ ୨୦୧୬
================