ନାରୀ କଲ୍ୟାଣ ମିଟିଙ୍ଗ୍
ନାରୀ କଲ୍ୟାଣ ମିଟିଙ୍ଗ୍
ମିଟିଙ୍ଗ୍ ଚାଲିଛି ଘମାଘୋଟିଆରେ କର୍ମୀ ହେଇଛନ୍ତି ଠୁଳ
ନେତା ବସିଛନ୍ତି ଆସ୍ଥାନ ଜମେଇ,ଲୋକ ଜମା ମାଳ ମାଳ ।
ନାରୀର କଲ୍ୟାଣ ପାଇଁକି ଚାଲିଛି ନୂତନ ଯୋଜନା ମାନ
ଗାଆଁରୁ ସହରୁ ଆସିଛନ୍ତି ନାରୀ, ଶୁଣିବାକୁ ଦେଇ କର୍ଣ୍ଣ ।
ସେପାଖ ସାହିରୁ ଉଠି ଆସିଛନ୍ତି ବଡ ବଡ ନେତ୍ରୀ କେତେ
ଏପାଖ ବସ୍ତିରୁ ଆସିଛନ୍ତି ପୁଣି କଥା କୁହାଳିଆ ଯେତେ ।
ଚଉକି ପଡିଛି, ସୋଫା ବି ପଡିଛି , ବିଛା ଯାଇଛି ବି ଦରି
ଯୋଉଠେଇ ଯିଏ ପାରିଲା ବସିଲା, ଆଗ ପଛ ନ ବିଚାରି ।
ନେତା କହୁଛନ୍ତି ହାତ ଦୋହଲେଇ ବଡ ବଡ କଥା କେତେ
ନାରୀଙ୍କ କଲ୍ୟାଣ ପାଇଁ କରୁଛନ୍ତି, ଦିନରାତି ଚିନ୍ତା ଯେତେ ।
ସ୍ୱାଧିନ ଭାରତେ, ନାରୀ ସ୍ୱାଧିନତା ସବୁଠାରୁ ବଡ କଥା
ଉଠେଇ ଦେବେ ସେ ଯୌତୁକ ସାଙ୍ଗକୁ, ଯେତେ କୁସଂସ୍କାର ପ୍ରଥା ।
ଝିଅ ବୋହୂ ସବୁ ନିର୍ଭୟେ ବୁଲିବେ, ହେବେ ନିଜ ଗୋଡେ ଠିଆ
ଦେଶକୁ ଶାସନ କରିବା ପାଇଁକି ପୁରୁଷଙ୍କୁ ହେବେ ସାହା ।
ନେତାଙ୍କ ଭାଷଣ ବଡ ଜୋରଦାର ଶୁଣି ଶୁଣି କାନ ଫାଟେ
ପଛରେ ବସିକି ଗଉରା ମାଇପ, ପାନ ପାଇଁ ଗୁଆ କାଟେ ।
ସରିଲେ ମିଟିଙ୍ଗ, ପଇସା ମିଳିବ, ଦେଢ ଶହ ମୁଣ୍ଡ ପିଚ୍ଛା
ସେତକ ପାଇଁକି ଅଧିଆ ପଡିଛି ,ସକାଳ ପହରୁ ଏକା ।
କହିଥିଲା ପୁଅ ମାଉଁସ ଖାଇବ, ନେଲେ ଏଠୁ ଟଙ୍କା ଆଜି
ଝିଅଟିର ମନ ଲୁଗାଟେ କିଣିବ, ନ ଖାଇବ ପଛେ କିଛି ।
ହାଇ ମାରି ମାରି ଉଠିଲା ସଉରୀ, ଚାହିଁଲା ଚଉଦିଗକୁ
ସେତେବେଳୁ ନେତା ବକି ଚାଲିଛନ୍ତି ,ଧୈର୍ଯ୍ୟ ନାହିଁ ଶୁଣିବାକୁ ।
ସୁମନାନୀ କୁହେ, “ଦେଖଲୋ ମାଇପେ, କେଡେ ପସନ୍ଦିଆ ଶାଢୀ
ନେତାଙ୍କ ସାଙ୍ଗରେ ଘରଣୀ ତାଙ୍କର, ଚଢି ଆସିଅଛି ଗାଡି ।
ବେକେ ଚନ୍ଦ୍ରହାର ଝକ ଝକ ଦିଶେ, ହାତରେ ନାଲି ବାଉଟି
କାନର ଝୁମୁକା ହଲି ହଲି କୁହେ, ମୋ ଆଡେ ବେଗେ ଚାହଁଟି ।
ସେପଟୁ ଉଠିଲା ପଦିଆ ଘରଣୀ, କହିଲା ମୁହଁକୁ ମୋଡି
“ନେତାଙ୍କର ଇଏ ଘରଣୀ ନୁହଁଇ, ଅଟେ ଅନ୍ଧର ଲଉଡି ।
ଆସିଥିଲା ଦିନେ ନେତାଙ୍କ ପାଖକୁ ଶୁଣେଇବାକୁ ଗୁହାରି
ଗୁହାରି ଶୁଣିଲେ, ଅବା ନ ଶୁଣିଲେ , ଦେଲେ ତାକୁ ଚଳୁ କରି ।
ଶାଢୀ ଗହଣାର ଥୋପ ପକେଇକି ଖାପଚରେ ଦେଲେ ମାଡି
ସେହି ଦିନୁ ବୁଲେ, ନେତା ପତ୍ନୀ ସାଜି, ପିନ୍ଧି ଶାଢୀ, ଚଢି ଗାଡି ।
ହାଁ କରି ଗାଁ ମାଇପେ ଚାହାଁନ୍ତି , କି ହେଲାରେ କଳିଯୁଗ !
ନାରୀର କଲ୍ୟାଣ କରିବା ଆଳରେ, ନାରୀ ଫସେଇବା ବାଗ ।
ଏମିତିଆ କଥା ଶୁଣିନାହିଁ କାନ, ଆଖ ବି ଦେଖି ନଥବ
ଚାଲ ଯିବା ଏଠୁ ପଳେଇ ଚଞ୍ଚଳ, ନହେଲେ ଅନର୍ଥ ହେବ ।
ରାଧୀନାନୀ କୁହେ, “ଯିବି ନାହିଁ ମୁହିଁ କଲ୍ୟାଣ ମିଟିଙ୍ଗ୍ ଛାଡି
ମୁଠାଏ ଚାଉଳ ଘରେ ନାହିଁ, ପିଲେ ଭୋକେ ଛାଡୁଛନ୍ତି ରଡି ।
ପେଟ ଭୋକ ଆଗେ ତୁଚ୍ଛ ଅଟେ ସବୁ, ଇଜ୍ଜତ ମାନ ସମ୍ମାନ
ନେତା ଯଦି ମତେ ଡାକିବେ ପାଖକୁ, କରିଦେବି ଦେହଦାନ ।
ସାମାନ୍ୟ ଦେହକୁ ସାଇତି ରଖିବି କାହା ପାଇଁ ଅବା ମୁହିଁ
କେମିତି କାଟିବି ଦିନ ପରେ ଦିନ ସେ ଭୋକିଲା ମୁହଁକୁ ଚାହିଁ !
ଭୋକଟା ଅଟଇ ବଡ ଶତ୍ରୁ, ସେ ଯେ ନ ଦେଖେ ନୀତି ଅନୀତି
ପେଟକୁ ଗଣ୍ଡିଏ, ଦେହକୁ ଖୁଣ୍ଡିଏ, ପାଇଁ ଚାଲେ ନାଟ ଏଠି ।
ଚାରି ଘଣ୍ଟା ତଳେ ଛାଡି ଆସିଥିଲି, ଘରେ ପିଲାଙ୍କୁ ମୋହର
ଭୋକ ବିକଳରେ ଆଖିରୁ ତାଙ୍କର ଝରୁଥିଲା ରକ୍ତଧାର ।
ସରିଲେ ମିଟିଙ୍ଗ୍ ନେବି ମୁଁ ପଇସା, ଚିନ୍ତା ଯିବ ଆଜିକାର
କାଲିକୁ କି ହେବ ଭାବିଲା ବେଳକୁ, ରକ୍ତ ଶୁଖିଯାଏ ମୋର ।
ନ ଜାଣେ ମୁଁ କିଛି, ବୁଝେନା ବି କିଛି, ଫମ୍ପା ଏଇ ମିଟିଙ୍ଗିରୁ
କଅଣ ଯେ ଅର୍ଥ ନାରୀ କଲ୍ୟାଣର, ପାଇବି କିସ ସେଥିରୁ !
ଲୋଡା ନାହିଁ ମୋର ‘ସତୀ’ ର ମୋହର, ନ ଲୋଡା ବି ଥାଟବାଟ
ଏପରି ବ୍ୟବସ୍ଥା କର ବାବୁ, ନିତି ପୂରିବ ମୋ ପିଲା ପେଟ ।
ତେବେ ଯାଇ ହେବ ନାରୀର କଲ୍ୟାଣ , ଚାଲିବି ମୁଣ୍ଡ ଉଠେଇ
କରି ନ ପାରିଲେ ସେତକ ବ୍ୟବସ୍ଥା, ବିକିଦିଅ ମତେ ନେଇ !!”
-0-