କର ତୁମେ କଉତୁକ
କର ତୁମେ କଉତୁକ
1 min
7.0K
ତୁମରି ଚରଣ ପଖାଳିଲା ବେଳେ
ମନେ ପଡ଼େ ସେଇ କଥା,
ବର୍ଷଣ ମୁଖର ସେଇ ରାତିରେ ହେ
ଥିଲ ପିତା କୋଳେ ଯଥା ।
ଧରଣୀ ମାତାର ମିନତିକୁ ରଖି
ଧର୍ମ ସଂସ୍ଥାପନ ପାଇଁ ,
ସରଗ ରାଇଜୁ ଅବତରିଲ ଯେ
ସୁକୋମଳ ଶିଶୁ ହୋଇ ।
କର୍ତ୍ତବ୍ୟ ପାଳନେ ଅଗ୍ରସର ହୋଇ
ପିତା-ମିଳିଲେ ମୋ ଜଳେ,
ଛୁଇଁବାକୁ ତୁମ ଚରଣ ଯୁଗଳ
ଫୁଲିଲି ମୁଁ କୌତୁହଳେ ।
ପ୍ରୟାସ ମୋହର ବୃଥାହେଲା ଯେବେ
କରିଲି ମୁଁ ଅନୁନୟ ,
ମୋ ଅନ୍ତର ବୁଝି ଛୁଇଁବାକୁ ଦେଲ
ତୁମରି ଚରଣ ଦ୍ବୟ ।
ଧନ୍ୟ ହୋଇଗଲା ପରାଣ ମୋହର
ପ୍ରତୀକ୍ଷାର ହେଲା ଅନ୍ତ ,
ତୁମ ସହ ଭେଟ ହୋଇଗଲା ଯେଣୁ
ହୋଇଲି ମୁଁ କୃତକୃତ୍ୟ ।
ଏ ଗୋପ ନଗରେ ବଢି ଆହେ ନାଥ
ମୋ କୂଳେ କରୁଛ ଖେଳା ,
କେବେ ସଖା ଆଉ ସଖୀଙ୍କ ଗହଳେ
ଜମେଇ ଦେଉଛ ଲୀଳା ।
ମୋଅରି ବୁକୁରେ ପାଦଥାପି ଯେବେ
କର ତୁମେ କଉତୁକ ,
ଆନନ୍ଦେ ବିଭୋର ହୋଇଯାଏ ମୁହିଁ
ମିଳଇ ବୈକୁଣ୍ଠ ସୁଖ ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।