ଉଚ୍ଚ-ନୀଚ୍ଚ
ଉଚ୍ଚ-ନୀଚ୍ଚ
କେବେ ଯଦି ହାତ କାଟି ଦେଖ
ଧମନୀରୁ ଝରିଯିବ
ଝର ଝର ତତଲା ରକ୍ତ
ସେ ରକ୍ତର ରଙ୍ଗ ଲାଲ
ଠିକ ମୋ ଧମନୀରେ
ବହୁଥିବା ରକ୍ତ ପରି
ତଫାତ ଅଛି କି କିଛି
ମୋ ରକ୍ତ କଣ ନୀଳ
ଆଉ ତୁମର ଲାଲ ?
ଖାଦ୍ୟ ବସ୍ତ୍ର ବାସଗୃହ
ସବୁ ତ ଦରକାର ମୋତେ
ଠିକ ତୁମ ପରି
ତୁମ ପରି ମୋର ବି ଅଛି
ଆଖି ନାକ କାନ
ବୃକକ୍, ଫୁସଫୁସ, ହୃତପିଣ୍ଡ
ଯାହା ଧକ ଧକ କରେ
ପୁରା ବାସ୍ତରୀ ଥର ଗୋଟେ ମିନିଟରେ।।
ତଥାପି କେମିତି କୁହ
ତୁମେ ହେଲ ଜାତି ଶ୍ରେଷ୍ଠ
ଆଉ ମୁଁ ନୀଚ୍ଚ ନିକୃଷ୍ଟ
ତୁମେ ହେଇଗଲ
କର୍ତ୍ତା ଧର୍ତ୍ତା ସମାଜର ବଡ଼ ପଣ୍ଡା
ଆଉ ମୁଁ ଦଳିତ ଦରିଦ୍ର।।
ତୁମେ କହିଲ ମୁଁ କୁଆଡେ
ପାଦରୁ ଜାତ
କେଉଁ ବ୍ରହ୍ମା ବୋଲି ଦେବତାର
ଆଉ ତୁମେ ପାଟିରୁ
ସେଥିପାଇଁ ତୁମେ ଶ୍ରେଷ୍ଠ ମୁଁ ନୀଚ୍ଚ
ଯଦି ବି ମୁଁ ମାନିନିଏ
ଏହି ସବୁ ଅବାନ୍ତର କଥା
କୁହ ତେବେ ବିନା ପାଦରେ
କଳ୍ପନା କରି ହେବ କି
ଏକ ସୁସ୍ଥ ସୁନ୍ଦର ଜୀବନର
ଶରୀରର ସବୁ ଅଙ୍ଗ ସବୁ ପ୍ରତ୍ୟାଙ୍ଗ
ନୁହେଁ କି ଶ୍ରେଷ୍ଠ ଆବଶ୍ୟକୀୟ
ଚାଲୁଥିବା ପାଦ
ସମ୍ପୂର୍ଣ୍ଣ ଶରୀର ବୋଝ ବୋହୁଥିବା ପାଦ
କିପରି ବା ନିକୃଷ୍ଟ ହୋଇପାରେ
ଖାଉଥିବା ଗପୁଥିବା
କୁତ୍ସାରଟନା କରୁଥିବା ପାଟିଠାରୁ।।
ପାଦ ବି ଜରୁରୀ
ପାଟି ବି ଜରୁରୀ
ଏକ ସୁସ୍ଥ ଶରୀର ପାଇଁ
ଏକ ସ୍ୱାଭାବିକ ଜୀବନ ପାଇଁ
ଠିକ ଯେମିତି ତୁମ ସ୍ଥିତି ବି ଜରୁରୀ
ଆଉ ମୋର ଅସ୍ତିତ୍ୱ ବି
ଏଇ ମଣିଷ ସମାଜର ଉନ୍ନତି ପାଇଁ।।
ନା ମୁଁ ମାନିବି ନାହିଁ
ନାହିଁ ମୋର ଶିକ୍ଷାରେ ଅଧିକାର ବୋଲି
ନାହିଁ ଇଛା ପ୍ରକାଶ କରିବାର ଅଧିକାର
ନା ଆଉ ପାଟି ବନ୍ଦ କରିବି ନାହିଁ
ଛଡେଇ ଆଣିବି ସବୁତକ ଅଧିକାର ମୋର
ଶିକ୍ଷା ସ୍ୱାସ୍ଥ୍ୟ ବା ସମ୍ମାନ
ମୁଁ କେବେ ନୀଚ୍ଚ ନୁହେଁ
ନୁହେଁ ବା ନିକୃଷ୍ଟ
ନୀଚ୍ଚ କେବେ ମଣିଷ ହୁଏ ନା
ହୁଏ ଚିନ୍ତାଧାରା
ଯେପରି କି ତୁମର
ନିଜପରି ମଣିଷ ମାନଙ୍କଠୁ
ଯିଏ ଛଡେଇ ନେଇଛି
ସବୁତକ ମୌଳିକ ଅଧିକାର।।
ରାଜବାଳା...