ହେ ଈଶ୍ୱର ,ତୋତେ ସମସ୍ତେ କୁହନ୍ତି,
"ତୁ ମୋର,ତୁ ମୋର" ବୋଲି ।
କିଛି ଲୋକ ତୋତେ ହୃଦୟୁ ଚାହାନ୍ତି,
ଅଧିକେ ଯାଆନ୍ତି ଭୁଲି ।
ଭକତି ବାଢିବା ପ୍ରତିଯୋଗିତାରେ
ଲାଗିଛି ଭକତ ଭିଡ,
ମହଣ ମହଣ ଘିଅ ଢାଳୁଛନ୍ତି
ଜଳୁଛି ହୋମ ର କୁଣ୍ଡ ।
ନଡ଼ିଆ ଅର୍ପଣ ପ୍ରତିଯୋଗିତାର
ହିସାବ ଖୋଜି ମିଳୁନି ।
ହଜାର ହଜାର ଦୀପ ଜଳୁଅଛି
ଭକତି ଭାବ ଦିଶୁନି ।
କହିବୁ କି ସତ ଯାହା ମୋ'ପ୍ରତୀତ
ହୃଦୟରୁ ତୋତେ କିଏ,
ଭକତିର ଅର୍ଘ୍ୟ ବାଢି ଦେଇଥାଏ,
ଜୀବନରୁ ଭଲ ପାଏ ?
କେବେ ତୁ ଚାହିଁନୁ ସୁନାର ମୁକୁଟ
ତୋ'ଭକତ ତୋତେ ଦେଉ,
ତୋ'ଭକତ ପରା ତୋ'ପ୍ରିୟ ସନ୍ତାନ
ତା' ଦୁଃଖକୁ ପିଇ ଯାଉ ।
ଧନୀ ବି ତୋ'ହର ଗରୀବ ବି ତୋର
ସମସ୍ତଙ୍କୁ ସମ ଭାବ,
ତୋହରି ହୃଦୟେ ସମସ୍ତଙ୍କ ପାଇଁ
ରହିଛି ଉଦାର ଭାବ ।
ପିତା କେବେ କ'ଣ ସନ୍ତାନ ମାନଙ୍କୁ
ପାତର ଅନ୍ତର କରେ ?
ସନ୍ତାନଙ୍କୁ ନେଇ, ସନ୍ତାନଙ୍କ ପାଇଁ
କଷଣ ବରଣ କରେ ।
ତୁ ତ ବିଶାଳ ବିଶ୍ୱର ଈଶ୍ୱର
ମିଥ୍ୟା ଅଭିମାନ ଖାଲି ,
ମଣିଷ କରଇ ମିଛରେ ମିଛରେ
ମଣିଷ ପଣିଆ ଜାଳି ।
ତୋ'ରି ସ୍ୱାଭିମାନ କେବେ ବି କୁହେନି
ଆସ, ମୋତେ ଭଲ ପାଅ,
ମୋ'ରି ଆଶିଷ ପାଇବାକୁ ହେଲେ
ହୀରା,ନୀଳା, ମୋତି ଦିଅ ।
ଧନ ଦଉଲତେ କାହାକୁ କେବେ ବି
ନିଜର କରି ହୁଏ ନି,
ତୁ ତ ସହଜେ ସକଳଙ୍କ ପିତା
ମଣିଷ ବୁଝି ପାରୁନି ।
ହେ ପରମ ପିତା ବୁଝାଇ ଦେ ଥରେ
ସମସ୍ତଙ୍କ ଜ୍ଞାନ ହେଉ,
ମଣିଷଙ୍କୁ ଦେଉ ମଣିଷ ବେଭାର
ଯାହା ତୁ ହୃଦୟୁ ଚାହୁଁ ।