କାଣିଚାଏ ହୃଦୟ
କାଣିଚାଏ ହୃଦୟ
ବିନା ଯୁଦ୍ଧ,
ତୁମେ ମୋର ହୃଦୟ ଜିଣି ନେଲ,
ବିନା ମୂଲ୍ୟ,
ତୁମେ ମୋର ମନ କିଣି ନେଲ l
ଆଉ କଣବା ବଞ୍ଚିଲା ମୋ ପାଖେ?
ତଥାପି, ଏ ଦେହକୁ ଘୋଷାଡି ଘୋଷାଡି,
ଚାଲିଛି ମୁଁ ତୁମ ପଛେ ପଛେ,
ପାଦଚଲା ଏଇ ପାଦଦଣ୍ଡାରେ,
କାଳେ ତୁମେ ଦେଇଦେବ,
ତୁମ ହୃଦୟରୁ କାଣିଚାଏ,
ଅଥବା ତୁମ ମନରୁ ଚିମୁଟେ ।
ସେତିକି ଯଥେଷ୍ଟ ହେବ,
ବାକିଥିବା ପଥ ଚାଲିବାରେ,
ନା କିଛି ଭୋକ ଥିବ, ନା ଥିବ କିଛି ଶୋଷ,
ପଥ ଏଠି ଦୁର୍ଗମ ବି ଲାଗିବନି ।
ତୁମର କାଣିଚାଏ ହୃଦୟ,
ଦୁକ୍ ଦୁକ୍ ସ୍ପନ୍ଦିତ ହେଉଥିବ,
ମୋର କେଇଖଣ୍ଡ ପଞ୍ଜରାହାଡ ତଳେ ।
ତୁମ ଚିମୁଟାଏ ମନ ବି,
ଆନମନା କରିଯିବ ମୋତେ,
କେବେ ଯଦି ଥକିଯିବି ପଥ ଚାଲିବାରେ ।
ହୃଦୟକୁ ହାରିଦେଲା ପରେ
ମନ ମୋର ବିକ୍ରି ହୋଇଗଲା,
ବିନା କିଛି ମୋଲ ତୋଲ
ବିନା କିଛି ମୂଲ୍ୟ ।
ଅମୂଲ୍ୟ ତ ନ ଥିଲା ମୋ ମନ,
ତଥାପି ତୁମେ କିଣିନେଲ ନିଜ ଅଜାଣତେ,
କିନ୍ତୁ, ଥରୁଟିଏ ପଚାରିଲ ନାହିଁ,
ମୁଁ କଣ ଚାହିଁଥିଲି, ମୋର ମନ ବିନିମୟେ?
କିଛିବି ପାଇବାକୁ, କେବେ ଚାହିଁ ମୁଁ ନଥିଲି,
ତଥାପି, ଭାବିଥିଲି,
ଗଲାବେଳେ ତୁମେ ଗୁଞ୍ଜିଦେବ,
ଟୋପାଏ ପ୍ରେମ, ମୋର ହାତ ପାପୁଲିରେ,
କାଣିଚାଏ ନିର୍ମାଲ୍ୟ ପରି
ସେଇ କାଣିଚାଏ ହୃଦୟ,
ମୋ ପାଇଁ ହୋଇଥାନ୍ତା କୁବେର ସମ୍ପତ୍ତି ସମାନ ।