ଚେର
ଚେର
ଏଣେ ମାଟିକୁ ଯୁଝୁଛି ଚେର
ତେଣେ ଫୁଲରେ ଫଳରେ ଚାଲିଛି
ଅର୍ଥକରୀ ଗହଳ ଚହଳ
ଓଁ କାରରେ ବୁଡିଛି ଚେର ତ
ଡାଳ ପତ୍ରରେ ଅହଂର ହୁଂକାର ।
ଏମିତି ଲମ୍ବିଛି ଗଣ୍ଡି ଯେ ଦୂରେଇ ଯାଉଛି ଅଗ,
ସରୁ ହୋଇଆସୁଛି କଟୀ,ପବନ ସାଥିରେ
ଡାଳ ପତ୍ରମାନଙ୍କର ଖାଲି ଯାହା କିଣା ବିକା
କଳାବଜାରର ଚାଲ୍ ‐ ମାଲେମାଲ୍ !
ଫୁଲଙ୍କ ଭିତରେ ବିଶ୍ବ‐ସୁନ୍ଦରୀ ପ୍ରତିଯୋଗିତାର ବାଜି
ବିଜ୍ଞାପନ ଭିଡରେ ମହକକୁ ନେଇ ଟଣା‐ଟଣି
ଫଳ ପାଚି ଲାଲ୍ ପଡିବା ଭିତରେ ଅନ୍ଧାରକୁ
ଦିଆଯାଇଥାଏ ମଞ୍ଜିମାନଙ୍କର ପେଟେଣ୍ଟ୍ !
ମୂଳ ଲୁଚେଇନିଏ ନିଜକୁ,ସହିପାରେନି
ଅଥର୍ବ ଡାଳ ପତ୍ରମାନଙ୍କର ଦୌରାତ୍ମ୍ଯ !
ପବନ ସାଥିରେ ମିଶି ପତ୍ର କେବେକେବେ
ପ୍ରଗଳ୍ଭ ହୁଏ ତ ସମର୍ଥନ କରେ ଡାଳ,
ପୁରାଣଠୁ ପ୍ରଣବର ଅଭିଧାନ ଖୋଲିଯାଏ
ଗୋଟି ଗୋଟି ଫଡ୍ ଫାଡ୍ ପତ୍ରଙ୍କ ଶବ୍ଦରେ,
ସଂତ୍ରସ୍ତ ହୁଅନ୍ତି ପକ୍ଷୀ,କେବେକେବେ ସେମାନଙ୍କ
ବସା ଭାଙ୍ଗେ ତ ଚୋରିହୁଏ ଅଣ୍ତା !
ଯାବତ୍ ଚନ୍ଦ୍ରାର୍କେ ବି କଳିହୁଏନା
ଅଦୃଶ୍ଯ ଚେରଠୁ ଚଉରଙ୍ଗୀ ଗଛର ଦୂରତା,
ମାଟିତଳ ଓଁ କାରକୁ ଗୁଣୁଗୁଣୁ ସୁରରେ ନିୟତ
ଛନ୍ଦି ଚାଲିଥିବା ଚେରର ପାଗଳାମି
ଖାଲି ଏକ ତୁଚ୍ଛା ନୀରବତା !
ତଳମୁହାଁ ଚେର ଜାଣେନା
ଉପରମୁହାଁ ସମୟର ଠିକଣା
ଯେଉଁଠି ତା'ର ସବୁ ଚିଠି
ଆସୁ ଆସୁ ହେଉଛି ପୁରୁଣା !