ପତ୍ର ଝଡିବାର ବେଳ
ପତ୍ର ଝଡିବାର ବେଳ
ସମୟର ଶୀତ ଶୁଖେଇ ଦେଇଛି
ହାଡ଼ ଭିତରର ମଞ୍ଜ,
ଫଳ,ଫୁଲ ବି ଅଜ୍ଞାତବାସରେ ।
କାଉଟିଏ ବସିଲେ ବି
ମଡ଼ ମଡ଼ କରି ଭାଙ୍ଗି ଯାଉଚି ଡାଳ,
ଏବେ ତ ପତ୍ରଝଡାର ବେଳ ,
ବସନ୍ତ ଆସିବାକୁ ସମୟ ପଡିଛି ।
ବସନ୍ତ ସେ ଦେବଦୂତ,
ଯା' ପରଶରେ
ପ୍ରାଣ ପୁଲକିତ ହୁଏ,ପଲ୍ଲବିତ ହୁଏ ।
ହେଲେ ସେପାଇଁ ବି ଭାଗ୍ୟଟିଏ ଲୋଡା ।
ସମସ୍ତେ ତ ଶୁକପକ୍ଷୀ ନୁହଁନ୍ତି ଯେ
ଛାଡିଯିବେନି ହାତ,
ଖୋଜିବେନି ନୂଆ ଏକ ନୀଡ଼ର ଠିକଣା ।
ଭୟଭୀତ ହେବେନାହିଁ
ମୃତ୍ୟୁର ଅଭଙ୍ଗ ହସରେ ,
ବରଂ ଛାତି ପାତି ମାଗିନେବେ
ଶେଷ ଇଚ୍ଛା....
'ତରୁଟିର ପ୍ରାଣ ଅବା ସହମୃତ୍ୟୁ ।'
ପକ୍ଷୀ ଦୁଃଖେ ଦୁଃଖୀ, ସ୍ତବ୍ଧ ଦେବଦୂତ
ଢାଳିଦେବ ସଂଜୀବନି,
ପଲ୍ଲବିତ କରିଯିବ ମୂମୁର୍ଷୁ ପ୍ରାଣରେ !
ଧୀରେ ଧୀରେ ସରିଆସିଲାଣି ପତ୍ର,
ଥୁଣ୍ଟା ଦିଶିଲାଣି ଅବୟବ,
ମାଟି ବି ଛାଡିଦେଲାଣି ପାଦ
ଶୁକପକ୍ଷୀ ବସା ବାନ୍ଧିଲାଣି
କେଉଁ ଏକ ଅଜଣା ମୂଲକରେ ।
ଏବେ ଆଉ ଡରେଇ ପାରୁନି ଶୀତ,
କୁହୁଡି, କାକରରେ ଭିଜିଯାଉନି ଦେହ ।
ଶୁଖିଲା ପତ୍ର ଝଡିବା ଆଳରେ
କାହା ପାଦ ଶବ୍ଦ !
କାହା ଗତି ରୁନ୍ଧିଦେଉଛି ଶ୍ବାସ !
କାହା ତୀବ୍ରଗନ୍ଧରେ
ଜଳିଯାଉଛି ଦେହ ।
ବୋଧେ ଦେବଦୂତ ଆସିବାର ନାହିଁ ;
ବଦଳରେ ମୃତ୍ୟୁ ହିଁ ଆସୁଛି ।।