ଏମିତି ଏକ ଦିନ ଆସନ୍ତାକି ?
ଏମିତି ଏକ ଦିନ ଆସନ୍ତାକି ?
କାହାର ଚୁଲିରେ ବିଲେଇ ଶୋଉଛି
କିଏ ଭାସେ ମଦ ମାଂସରେ
କିଏ ତୋଳେ ଏଠି ନବସ୍ଚୁମ୍ବି କୋଠା
କାହାର ସମ୍ପତ୍ତି ଧ୍ଵଂସରେ ।
କିଏ ସେ ଟିକିଏ ଶାନ୍ତିରେ ରହିଲେ
ଜଳିଯାଏ କିଏ ଈର୍ଷାରେ
କାହା ଓଠେ ଏଠି ହସର ଫଗୁଣ
କା' ଆଖି ଭିଜେ ଲୁହ ବର୍ଷାରେ ।
ପାଉନାହିଁ କିଏ ପେଟକୁ ତ ଦାନା
କିଏ ଖାଏ ସୁନା ଥାଳିରେ
କା' ଘରେ ସମ୍ପତ୍ତି ପରିପୂର୍ଣ୍ଣ ଏଠି
ପଇସାଏ ନାହିଁ କା' ଥଳିରେ ।
ଖାଇ ଖାଇ କିଏ ଫୋପାଡ଼ି ଦେଉଛି
କା' ପେଟ ପୋଡ଼ୁଛି ଭୋକରେ
ହସ ଓ ଖୁସିରେ ଦିନ କଟେ କା'ର
କା' ଦିନ ବିତୁଛି ଦୁଃଖରେ ।
ଏମିତି ଗୋଟାଏ ଦିନ ଆସନ୍ତା କି
ରୁହନ୍ତେନି କେହି ଭୋକରେ
ଗରୀବର ଦୁଃଖେ ସାଥି ହୁଅନ୍ତା କି
ରହୁ ଅଛି ଯିଏ ସୁଖରେ ।