ପ୍ରାଣପକ୍ଷୀ
ପ୍ରାଣପକ୍ଷୀ
ରୋମାଣ୍ଟିକ କବି ମାୟାଧର ମାନସିଂହ
ପ୍ରାଣବନେ ପକ୍ଷୀ ଗାଏ ଆକୁଳ ରାଗିଣୀ
ବୁକୁ ସାରା ବେଦନାରେ ଡାକେ କିଣି କିଣି ।
ଗଭୀର ଜୀବନ-ବନେ କେଉଁ କୁଞ୍ଜତଳେ
କି ପକ୍ଷୀ ସେ,କି ଯେ ଗାଏ ଏଡେକ ବିକଳେ !
ଖୋଜି ଖୋଜି ଚିହ୍ନାଚିହ୍ନି କିଛି ନାହିଁ ପାଏ
ଜାଣେ ଖାଲି ପ୍ରାଣ-ବନେ ବିହଙ୍ଗମ ଗାଏ ।
ଯୁଗ-ଯୁଗାନ୍ତରୁ ସେ ଗୋ ଜୀବନ-ଦୋସର
ଜନମେ ଜନମେ ସହଚର ସେ ମୋହର ।
ପ୍ରାଣବନ ଅନ୍ତଃପୁରେ ଚିର-ବଧୂ ପରି
ଓଢଣାରେ ମୁଖ ଢାଙ୍କି,ଆଖି ଜଳେ ଭରି
କାହାର ବିରହେ ସେ ଯେ ଧରିଅଛି ତାନ,
ଏଡ଼େ ବୁକୁଫଟା ! - ମୋର ଭାଙ୍ଗିଯାଏ ପ୍ରାଣ ।
ଯୁଗ-ଯୁଗ ଧରି ସେ ଯେ ବିଳପୁଛି ବସି
ନିଭୃତ ସେ ବନ କୋଣେ - ଦିନେ ମୁଁ ଭରସି
ପଚାରିନି, ହେ ବିଦେଶି, କାହିଁ କାନ୍ଦ ନିତି ?
କି ବାସନା, କାହାପାଇଁ ଏ ଗଭୀର ପ୍ରୀତି ?
ଜିଜ୍ଞାସାର ଅବସର ନାହିଁ ମୋର ମନେ
ଅବାଧରେ ଗାଇଯାଏ ପ୍ରାଣପକ୍ଷୀ ବନେ ।
ତା ଲୋତକେ ସିକ୍ତ ମୋର ସମସ୍ତ ଜୀବନ
ଜନମେ ଜନମେ ତେଣୁ ସାଥୀ ବିହଙ୍ଗମ ।