ତୁ ନାହୁଁ ବୋଲି
ତୁ ନାହୁଁ ବୋଲି
ତୁ ନାହୁଁ ବୋଲି ବଡ଼ ଦେଉଳରେ ପାରା ବି ଘୁମୁରୁ ନାଇଁ ।
ତୁ ନାହୁଁ ବୋଲି ରତନବେଦୀର କାନ୍ଦ ଶୁଭେ କଇଁ କଇଁ ।
ତୁ ନାହୁଁ ବୋଲି ଶରଧା ବାଲିରେ ପଡେନା କା' ପାଦଚିହ୍ନ ।
ତୁ ନାହୁଁ ବୋଲି ଆନନ୍ଦ ବଜାର କରିଛିରେ ଅଭିମାନ ।
ତୁ ନାହୁଁ ବୋଲି ବାଇଶି ପାହାଚ ଭୁଲିଛି ଜୀବନ ଗୀତ ।
ତୁ ନାହୁଁ ବୋଲି ଦରିଆ ଦୁହିତା ଝୁରେ ତା' ପରାଣ ମିତ ।
ତୁ ନାହୁଁ ବୋଲି ନୀଳଚକ୍ର ନେତ ଉଡିବା ଦେଇଛି ଛାଡି ।
ତୁ ନାହୁଁ ବୋଲି ଦେଉଳ ଦୂଆରେ ଶୁଭୁନାହିଁ ପଣ୍ଡା ରଡି ।
ତୁ ନାହୁଁ ବୋଲି ନାଟ ମଣ୍ଡପରେ ଶୁଭୁନି ନୂପୂର ଛନ୍ଦ ।
ତୁ ନାହୁଁ ବୋଲି ପବନେ ଭାସୁନି ଅଗୁରୁ କୁଙ୍କୁମ ଗନ୍ଧ ।
ତୁ ନାହୁଁ ବୋଲି ଶ୍ରୀ ମନ୍ଦିର ଶିରୀ ସତେ କି ଯାଇଛି ତୁଟି ।
ତୁ ନାହୁଁ ବୋଲି କାନ୍ଦୁଛି ଆକାଶ କାନ୍ଦେ ବଡ଼ଦାଣ୍ଡ ମାଟି ।
ତୁ ପ୍ରାଣ ପରାଣ ଜଗତ ଜୀବନ ନୀଳାଚଳ ନୀଳଜହ୍ନ ।
ଘଡି ଦି ଘଡିର ବିଚ୍ଛେଦରେ ତୋର ବିଷ ବିଷ ଏ ଜୀବନ ।