ଜୀବନର ମାନେ
ଜୀବନର ମାନେ
ରୋଜା ପଣ୍ଡା
ପଚାରିଲି ଦିନେ ଜୀବନର ମାନେ ଧରଣୀ ଧରିତ୍ରୀ ମାଆକୁ............
ଉତ୍ତରରେ ମୋର କହିଲା ପୃଥିବୀ,
" ସମଗ୍ର ଜଗତକୁ ପରିପୃଷ୍ଟ କରିବା ହିଁ ଜୀବନ,
" ମୋ ପରି ତ୍ୟାଗୀ ଓ ସହିଷ୍ଣୁ ହେବା ହିଁ ଜୀବନ,
" ନିଃସର୍ତ୍ତ ଭଲ ପାଇବାରେ ଜଗତକୁ ଆପଣାର କରିବା ହିଁ ଜୀବନ,
ଶୁଣି ମୁଁ ଉତ୍ତର ଧରଣୀ ମାଆର ଆଶ୍ୱାସନା ଦେଲି ମନକୁ ।।
ଫେରି ମୁଁ ଆସିଲି ଧରଣୀ ପାଖରୁ ପହଞ୍ଚିଲି ଫୁଲ ପାଖରେ.............
ଜୀବନର ଅର୍ଥ ବୁଝାଇଲା ଫୁଲ,
" ସଭିଙ୍କ ମନକୁ ମୁଗ୍ଧ କରି ବିଷାଦଶୂନ୍ୟ କରାଇବା ହିଁ ଜୀବନ,
" ପ୍ରତୀକ୍ଷଣ କଣ୍ଟକ ଶଯ୍ୟାରେ ରହି କଷ୍ଟକୁ ଗୋପନ ରଖିବା ହିଁ ଜୀବନ,
" ମୁଖ ମଣ୍ଡଳରେ ସଦା ସର୍ବଦା ପ୍ରସନ୍ନତାର ହସ ଫୁଟାଇବା ହିଁ ଜୀବନ,
ଫୁଲର ଉତ୍ତର ମନକୁ ଛୁଇଁଲା ଭାବିଲି ଲାଗିବ କାମରେ ।।
ଫେରୁଥିଲି ଦିନେ ସନ୍ଧ୍ୟା ସମୟରେ ଦେଖିଲି ମେଘକୁ ଆକାଶେ..........
ଜୀବନର ମାନେ ବର୍ଣ୍ଣନା କରେ ସେ ,
"ଜୀବଜଗତର ତୃଷ୍ଣା ମେଣ୍ଟାଇବା ହିଁ ଜୀବନ,
" ବୃକ୍ଷଲତାଙ୍କୁ ପଲ୍ଲବୀତ କରିବା ହିଁ ଜୀବନ,
" ନିଜକୁ ବିନ୍ଦୁ ବିନ୍ଦୁ କରି ଢାଳି ଅନ୍ୟକୁ ପୁଲକିତ କରିବା ହିଁ ଜୀବନ,
ସ୍ମିତହାସ୍ୟ ଦେଇ ମେଘର ଉତ୍ତରେ ପ୍ରତିଜ୍ଞା କରିଲି ତାପରି ହେବି ମୁଁ ଜଗତର ନିତ୍ୟ ବିକାଶେ ।।
ସକାଳର ସୂର୍ଯ୍ୟ କିରଣକୁ ଦିନେ ପଚାରିଲି କୁହ ଜୀବନର ମାନେ..............
କହିଲା ସୁରୁଜ ମତେ ଦେଖିକରି,
" ନିଜେ ଜଳି ଜଗତର ଅନ୍ଧାର ଦୁରୀଭୂତ କରିବା ହିଁ ଜୀବନ,
" ନିଜର ଆଲୋକରେ ସଂସାରକୁ ଆଲୋକିତ କରିବା ହିଁ ଜୀବନ,
" ସକାଳେ ଆସି ସଂଞ୍ଜେ ଫେରିଯିବା ହିଁ ଜୀବନ,
ସୂର୍ଯ୍ୟର ଉତ୍ତର ଭାରି କୌତୁହଳ,ଲଗାଇବି ନିଶ୍ଚେ କେବେ କେଉଁକ୍ଷଣେ ଜୀବନେ ।।
ଶେଷରେ ବୃକ୍ଷର ପାଖେ ପହଞ୍ଚିଲି, ଜୀବନର ମାନେ ତାକୁ ପଚାରିଲି
କହିଲା ଗମ୍ଭିରେ ବୃକ୍ଷରାଜ ଶୁଣ, କଥାକୁ ମୋହର ଦେଇ ମନପ୍ରାଣ,
" ଦୁଃଖରେ ମୁଣ୍ଡ ନୁଆଁଇବା ହିଁ ଜୀବନ,
"ବିନା କାହାର ସାହାରାରେ ଠିଆହେବା ହିଁ ଜୀବନ,
" ଅନ୍ୟକୁ ଛାୟା ଦେବା ଓ କ୍ଲାନ୍ତି ଦୁରକରିବା ହିଁ ଜୀବନ,
ଶୁଣି ମୁଁ ଉତ୍ତର ବୃକ୍ଷରାଜଙ୍କର ,ମନରେ ଅତ୍ୟନ୍ତ ପ୍ରସନ୍ନ ହୋଇଲି ।।
ଶେଷରେ ଜୀବନ ମାନେ ମୁଁ ବୁଝିଲି,ଭୁଲ ବାଟରୁ ମୁଁ ପଛକୁ ଫେରିଲି............
ଜୀବନକୁ ମୁହିଁ ବୁଝି ଆଉଥରେ,କର୍ତବ୍ୟପଥରେ ଅଗ୍ରସର ହେଲି ।।
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା,କଟକ-୭୫୩୦୧୦