ଗପ ଫପ
ଗପ ଫପ
ଛୋଟ ଛୁଆଟି
ବସୁଥିଲା
ଗପ କହୁଥିବା ଚାକର ବୁଢାର
ଜଙ୍ଘ ଉପରେ
-ଆଉ ଅନ୍ୟମାନେ, ଚାରିପଟେ
ଭୂତ ଗପ ବେଳକୁ
ଆହୁରି କୁଙ୍କୁରି କାଙ୍କୁରି
ପଶି ଯାଉଥିଲା
କୋଳ ଭିତରକୁ ସେ
ରାଜକୁମାରୀ ସହ ପ୍ରେମରେ
ପଡି ଯାଇଥିଲା
ପାଞ୍ଚ ବର୍ଷର ବାଳକ
ପାଚେରୀ ଡେଇଁ
ଉଡି ଯାଉଥିଲା
ତା ପକ୍ଷୀରାଜ ଘୋଡା
ମାଲୁଣୀର ଧରମପୁଅ ହୋଇ
ପହରା ଦେଉ ଥିଲା
ରାଜକୁମାରୀ କୁ
ସୁଖ କହିବି କି ଦୁଃଖ କହିବି
ଆଳରେ କହି ଦେଉଥିଲା
ଜୀବନର ଇତିବୃତ୍ତ
ଭିତରେ ରାଜକୁମାରୀ
ଆଖିରେ ଲୁହର ବନ୍ୟା
କେମିତି ବୁଝିଯାଉଥିଲା ସବୁ
ପାଞ୍ଚ ବର୍ଷର ଛୁଆଟି
ଏତେ ବର୍ଷ ବିତିଗଲା
ବଡ ହୋଇଗଲା ସେ
ବାହୁରେ ବଳ ବି
ବହୁତ ରାଜକୁମାରୀ ମିଳିଲେ
ମେଘ ଉଠା ଆକାଶରେ
ଶାଶୁ ଘର ଯାଉଥିବା
କାଳି ଜାଇ ଆଖିର
ଅମାନିଆଁ ଲୁହ
ରେବତୀ ଦେହର
ଖଇ ଫୁଟା ଜ୍ୱର
ବସ ଷ୍ଟପରେ ଗାଡିପାଇଁ
ଛିଡା ହୋଇଥିବା ମ୍ୟାଡମ
-କିଛି କରି ହେଲାନି
କାହା ପାଇଁ
ପକ୍ଷୀରାଜ ଘୋଡା ବଦଳରେ
ପିଣ୍ଡାରେ ପଡିଛି
ଭଙ୍ଗା ସ୍କୁଟରଟି
ବୟସ ବଢି ଚାଲି
ପହଂଚି ଗଲା କେଉଁଠି କେଜାଣି
ମାତ୍ର ସ୍ୱପ୍ନର ରାଜକୁମାରୀ
ଠିକ ଯେମିତି ଥିଲା ସେମିତି
ସେହି ଅସୁରୁଣୀ ଢ଼ିଙ୍କି କୁଟା
କୁଞ୍ଚି କୁଞ୍ଚି ବାଳ
ଚିକ ମିକ ଲୁଗା ପଣତ
କେବେ ପ୍ରଖର ଜିଦ
ପୁଣି କେବେ
ପ୍ରେମ ଆଉ ଦୟାର ଦେବୀ
ଶୁଣିଲି ଗପ ଶୁଣାଉଛି ସେ
ଛାତ ଉପରେ
ପାରାଙ୍କୁ - ଚାଉଳ ବିଞ୍ଚି
ମୁଁ ବି ହଜି ଗଲି
ହାତ ଆଉଁସା ଆଶାରେ
ସେହି ଘୁଟୁରୁ ଘୁଂ ଭିତରେ